Categories: ଖେଳ

ଭୁଟାନକୁ ୯-୦ରେ ହରାଇଲା ଭାରତ

ଢାକା, ୨୭।୩: ବାଂଲାଦେଶର ବୀର ଶ୍ରେଷ୍ଠ ଶହୀଦ ସିପାହି ମୁସ୍ତାଫା କମଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଭାରତ ୯-୦ ଗୋଲରେ ଭୁଟାନକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଶିଲ୍‌ଜି ଶାଜି ଏକାକୀ ୫ ଗୋଲ କରି ଦଳକୁ ବୃହତ୍‌ ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୫ ଦଳବିଶିଷ୍ଟ ପ୍ରତିଯୋଗିତାରେ ୩ ମ୍ୟାଚ୍‌ରୁ ଭାରତର ଏହା ଥିଲା ଦ୍ୱିତୀୟ ବିଜୟ। ଆସନ୍ତା ୨୮ ତାରିଖରେ ଭାରତ ଏହାର ଶେଷ ମ୍ୟାଚ୍‌ ଶକ୍ତିଶାଳୀ ରୁଷିଆ ସହିତ ଖେଳିବ। ପ୍ରତିଯୋଗିତା ନିୟମ ଅନୁସାରେ ଗ୍ରୁପ୍‌ ଟପ୍ପର ଚାମ୍ପିୟନ ବିବେଚିତ ହେବ।

ନିଜର ପ୍ରଥମ ମ୍ୟାଚ୍‌ରେ ନେପାଳକୁ ୪-୧ ଗୋଲରେ ହରାଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ବାଂଲାଦେଶଠାରୁ ୦-୧ ଗୋଲରେ ହାରି ଯାଇଥିଲା। ମାତ୍ର ଭୁଟାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ଭାରତ ମାତ୍ର ୩ୟ ମିନିଟ୍‌ରେ ମେନକା ଲୌରେମ୍ବାମଙ୍କ ଗୋଲ ସହାୟତାରେ ଯଦିଓ ଅଗ୍ରଣୀ ହାସଲ କରିଥିଲା ତେବେ ମ୍ୟାଚ୍‌ର ମୁଖ୍ୟ ନାୟିକା ଥିଲେ ଶିଲ୍‌ଜି ଶାଜି। ସେ ହ୍ୟାଟ୍ରିକ୍‌ ଅର୍ଜନ ସହ ୧୨, ୬୨, ୬୯, ୭୬ ଓ ୭୯ତମ ମିନିଟ୍‌ରେ ୫ଟି ଗୋଲ ଦେଇ ପ୍ରତିପକ୍ଷ ଦଳକୁ ବ୍ୟାକ୍‌ଫୁଟକୁ ଠେଲିଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିବାନୀ ଦେବୀ ନଙ୍ଗମେଇକାପାମ୍‌ ୪୨ ଓ ୬୧ ମିନିଟରେ ୨ଟି ଏବଂ ଥୋଇବିସାନା ଚାନୁ ତୋଇଜାମ ୫୬ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଏକପାଖିଆ ହୋଇଯାଇଥିବାବେଳେ ଭାରତୀୟ ରକ୍ଷଣଭାଗ ଭେଦକରି ଭୁଟାନ ଗୋଟିଏହେଲେ ଗୋଲ ପରିଶୋଧ କରିପାରି ନ ଥିଲା। ପ୍ରକାଶଯୋଗ୍ୟ, ଏହି ଏହି ଟୁର୍ନାମେଣ୍ଟ ପାଇଁ ପ୍ରିୟା ପି. ଭାଲାପିଲ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଏବଂ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଫୁଟ୍‌ବଲ ତାରକା ତଥା ଜାତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ସହକାରୀ କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି। ବାଂଲାଦେଶ ବିପକ୍ଷ ପରାଜୟରେ ମ୍ରିୟମାଣ ହୋଇପଡ଼ିଥିବା ଶ୍ରଦ୍ଧାଞ୍ଜଳି ଭୁଟାନ ବିପକ୍ଷ ପ୍ରଦର୍ଶନରେ ଆଶ୍ୱସ୍ତ ହୋଇଛନ୍ତି। ରୁଷିଆ ବିପକ୍ଷରେ ଦଳ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ସେ ଆଶାବାଦୀ ଅଛନ୍ତି।

Share