Categories: ଖେଳ

ଟିମ୍‌ ଇଣ୍ଡିଆର କ୍ଲିନ ସୁଇପ୍‌

କୋଲକାତା,୨୧।୧୧: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମ ଦ୍ୱିପାକ୍ଷିକ ସିରିଜ୍‌ରେ ହିଁ କ୍ଲିନସୁଇପ୍‌ ହାସଲ କରିଛି। ତାହା ପୁଣି ଟି୨୦ ବିଶ୍ୱକପ୍‌ର ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷରେ। ରବିବାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୭୪ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ୩-୦ରେ ମୂଳପୋଛ କରି ନେଇଛି ଘରୋଇ ଦଳ।

ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଭଳି ଏଥର ମଧ୍ୟ ଟସ୍‌ ଜିତିଥିଲେ ରୋହିତ। କିନ୍ତୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍‌ ଇଣ୍ଡିଆକୁ ପୁଣି ଥରେ ଭଲ ଆରମ୍ଭ ଦେଇଥିଲେ ଓପନର। ରୋହିତ ( ୫୬ ରନ୍‌, ୫ ଚୌକା ଓ ୩ ଛକା) ଓ ଉପଅଧିନାୟକ ଲୋକେଶ ରାହୁଲଙ୍କ ବଦଳରେ ଖେଳିଥିବା ଇଶାନ କିଷନ (୨୯ ରନ୍‌, ୬ ଚୌକା) ପାଓ୍ବରପ୍ଲେରେ ୬୯ ରନ୍‌ ଯୋଡ଼ିଥିଲେ। କିନ୍ତୁ ମଧ୍ୟକ୍ରମର ସମସ୍ତ ବ୍ୟାଟର ବିଫଳ ହୋଇଥିଲେ। ମାତ୍ର ଶେଷ ଆଡ଼କୁ ହର୍ଶଲ ପଟେଲ (୧୮ ରନ୍‌, ୨ ଚୌକା ଓ ୧ ଛକା) ଓ ଦୀପକ ଚହର (୨୧ ରନ୍‌, ୨ ଚୌକା ଓ ୧ ଛକା)ଙ୍କ ପାଇଁ ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପାଇଁ ଅଧିନାୟକ ମିଚେଲ ସାଣ୍ଟନର ୩ ଉଇକେଟ ନେଇଥିଲେ।

ଜବାବରେ ଆରମ୍ଭରୁ ଅକ୍ଷର ପଟେଲ ୩ ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ବହୁ ପଛକୁ ଠେଲି ଦେଇଥିଲେ। କେବଳ ମାର୍ଟିନ ଗୁପଟିଲ (୫୧ ରନ୍‌, ୪ ଲେଖାଏ ଚୌକା ଓ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜ୍‌ରେ ଅଧିକ ସୟମ ଛିଡ଼ା ହୋଇପାରି ନ ଥିଲେ। ଫଳରେ ୧୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ନ୍ୟୁଜିଲାଣ୍ଡ ଦଳ। ପୂର୍ବ ମ୍ୟାଚ୍‌ରେ ୨ ଉଇକେଟ ନେଇ ଚର୍ଚ୍ଚାକୁ ଆସିଥିବା ହର୍ଶଲ ପଟେଲ ଏଥର ମଧ୍ୟ ୨ ଉଇକେଟ ହାତେଇଥିଲେ। ତାଙ୍କ ବ୍ୟତୀତ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ ଦୀପକ ଚହର, ଭେଙ୍କଟେଶ ଆୟାର ଓ ଅକ୍ଷର ପଟେଲ।

Share