ୟୁଏନ୍‌ଏସ୍‌ସି ଅସ୍ଥାୟୀ ସଦସ୍ୟ ହେଲା ଭାରତ

ଜାତିସଂଘ, ୨।୧(ଆଇଏଏନ୍‌ଏସ୍‌): ସ୍ଥାୟୀ ସଦସ୍ୟତା ଦାବି କରିଆସୁଥିବା ଭାରତ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ସଦସ୍ୟ ହୋଇଛି। ଏବେ ସଦସ୍ୟ ଭାବେ ଭାରତ ଏହାର ‘ବସୁଧୈବ କୁଟୁମ୍ବକମ୍‌’ ବା ସାରା ବିଶ୍ୱ ଏକ ପରିବାର ନୀତିକୁ ପ୍ରସାର କରିପାରିବା ସହ ଆତଙ୍କବାଦ ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରିପାରିବ। ଏହା ବ୍ୟତୀତ କଶ୍ମୀର ପ୍ରସଙ୍ଗ ଉଠାଇବା ଲାଗି ଚାଇନା କରୁଥିବା ଉଦ୍ୟମର ମୁକାବିଲା କରିପାରିବ ଭାରତ। ବିଶ୍ୱ ଏବେ କୋଭିଡ୍‌-୧୯ ମହାମାରୀ ସମସ୍ୟାରୁ ମୁକୁଳି ପରିବର୍ତ୍ତନର ବାସ୍ତବତାକୁ ସମ୍ମୁଖୀନ ହେବାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଥିଲାବେଳେ ନୂଆ ବ୍ୟବସ୍ଥାକୁ ରୂପ ଦେବାରେ ନୂଆଦିଲ୍ଲୀ ସହାୟତା କରିପାରିବ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି ସୋମବାର ସକାଳେ ଅନୁଷ୍ଠିତ କାଉନସିଲ୍‌ ବୈଠକରେ ଆନୁଷ୍ଠାନିକ ଭାବେ ଆସନ ଗ୍ରହଣ କରିବେ। ସେଦିନ ମଧ୍ୟାହ୍ନରେ (ଭାରତୀୟ ସମୟ ସକାଳ ୧୦ଟା ୩୦) ହେବାକୁ ଥିବା ଉତ୍ସବରେ କାଉନସିଲ୍‌ ଚାମ୍ବର ଆଗରେ ଭାରତର ପତାକା ଲାଗିବ। ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ଅଷ୍ଟମ ଥର ପାଇଁ ନିର୍ବାଚିତ ହୋଇଛି। ୧୯୨ ସଦସ୍ୟଙ୍କ ମଧ୍ୟରୁ ୧୮୪ ଜଣ ଭାରତର ସଦସ୍ୟତା ସପକ୍ଷରେ ଭୋଟ ଦେଇଥିଲେ।

Share