ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କଶ୍ମୀର ରାଗ ଉପରେ ଭାରତର କଡ଼ା ଜବାବ

ନ୍ୟୁୟର୍କ,୨୪।୯: ମିଳିତ ଜାତିସଂଘର ସାଧାରଣ ସଭାରେ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଭାରତ ସମେତ ଆମର ସମସ୍ତ ପଡ଼ୋଶୀ ଦେଶ ସହ ଶାନ୍ତି ଚାହୁଁଛୁ। ବର୍ତ୍ତମାନ ସମୟ ଆସିଛି ଭାରତ ବୁଝିବା ଉଚିତ ଯେ, ଦୁଇ ପଡ଼ୋଶୀ ଦେଶ ପରସ୍ପର ସହ ଯୋଡ଼ି ହୋଇଛନ୍ତି ବୋଲି ଶରିଫ କହିଛନ୍ତି। ତେବେ ଯୁଦ୍ଧ ଏକ ମାତ୍ର ବିକଳ୍ପ ନୁହେଁ ଶାନ୍ତିପୂର୍ଣ୍ଣ ଆଲୋଚନା କଶ୍ମୀର ବିବାଦର ସମାଧାନ ହୋଇପାରିବ। ଏଭଳି କହି ଶହବାଜ ଶରିଫ ପୁଣିଥରେ କଶ୍ମୀର ରାଗ ଓଗାଳିଥିବା ଜଣାପଡ଼ିଛି। ତେବେ ଶରିଫଙ୍କ ଏଭଳି ବୟାନର ଭାରତ କଡ଼ା ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ମିଶନର ପ୍ରଥମ ସଚିବ ତଥା କୂଟନୈତିଜ୍ଞ ମିଜିତୋ ଭିନିତୋ କହିଛନ୍ତି, ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏହି ମଞ୍ଚକୁ ଚୟନ କରିଥିବାରୁ ଏହା ଅତ୍ୟନ୍ତ ଦୁଃଖର ବିଷୟ। ନିଜ ଦେଶର କୁକର୍ମକୁ ଲୁଚାଇବା ଏବଂ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଠିକ୍‌ ଦର୍ଶାଇବା ପାଇଁ ସେ ଏଭଳି କରିଛନ୍ତି ବୋଲି ମିଜିତୋ ଭିନିତୋ କହିଛନ୍ତି। ଭାରତ ବିରୋଧରେ ମିଥ୍ୟା ଅଭିଯୋଗ କରିବା ପୂର୍ବରୁ ପାକିସ୍ତାନକୁ ନିଜ କାର୍ଯ୍ୟ ବିଷୟରେ ମନେ ପକାଇ ଦେଇଛନ୍ତି ଭିନିତୋ। ଜମ୍ମୁ-କଶ୍ମୀର ଉପରେ ଦାବି କରିବା ପରିବର୍ତ୍ତେ ଇସ୍‌ଲାମାବାଦକୁ ସୀମାରେ ଆତଙ୍କବାଦ ବନ୍ଦ କରିବା ଉଚିତ। ପାକିସ୍ତାନରେ ହିନ୍ଦୁ, ଶିଖ ଏବଂ ଖ୍ରୀଷ୍ଟିଆନ ପରିବାରର ଯୁବତୀମାନଙ୍କୁ ବାଧ୍ୟତାମୂଳକ ଅପହରଣ, ବିବାହ ଏବଂ ‘ପାକିସ୍ତାନ ମଧ୍ୟରେ ଧର୍ମପରିବର୍ତ୍ତନ’ ଘଟଣା ବିଷୟରେ ମଧ୍ୟ ଭିନିତୋ ଉଲ୍ଲେଖ କରିଛନ୍ତି।

Share