୨୦୧୭ରେ ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସ୍ପାଇୱେୟାର

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୧: ଭାରତ ସରକାର ୨୦୧୭ରେ ଇସ୍ରାଏଲଠାରୁ ଗୁପ୍ତଚର ସଫ୍ଟୱେର ପେଗାସସ କ୍ରୟ କରିଥିଲା । ଆମେରିକାର ଖବରକାଗଜ ଦ ନ୍ୟୁୟର୍କସ ଟାଇମନ୍ସର ରିପୋର୍ଟରେ ଏହା ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ମୋଦି ସରକାର ୫ବର୍ଷ ପୂର୍ବେ ଇସ୍ରାଏଲ ସହିତ ୨ ବିଲିୟନ ଡଲାର(ପ୍ରାୟ ୧୫ହଜାର କୋଟି ଟଙ୍କା)ର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ କରିଥିଲେ । ଏଥିରେ ପେଗାସସ ସ୍ପାଏୱେୟାର କ୍ରୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରତିରକ୍ଷା ଚୁକ୍ତିରେ ଭାରତ କିଛି ଅସ୍ତ୍ରଶସ୍ତ୍ର ସହ ମିଶାଇଲ ସିଷ୍ଟମ ବି କ୍ରୟ କରିଛି ।
ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନ(ଏଫ୍‌ବିଆଇ) ମଧ୍ୟ ଇସ୍ରାଏଲର ଏନ୍‌ଏସଓ ଫାର୍ମରୁ ଏହା କିଣିଛି ବୋଲି ବର୍ଷ ବର୍ଷ ଧରି ଅନୁସନ୍ଧାନ କରିବା ପରେ ଖବରକାଗଜ ଏହା ପ୍ରକାଶ କରିଛି । ଏଫ୍‌ବିଆଇ ମଧ୍ୟ ଏହାକୁ ଅନେକ ବର୍ଷ ପରୀକ୍ଷଣ କରିଥିଲା, କିନ୍ତୁ ଗତବର୍ଷ ଏଜେନ୍ସି ପେଗାସସ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପେଗାସସ ପ୍ରକାଶ ପାଇବା ପୂର୍ବରୁ କିମ୍ବା ପରେ ଏଫ୍‌ବିଆଇର ଏହି ନିଷ୍ପତ୍ତି ଆସିଛି କି ନାହିଁ ତାହା ରିପୋର୍ଟରେ ସ୍ପଷ୍ଟ ହୋଇନାହିଁ ।
ସାରା ବିଶ୍ୱରେ ଗୁପ୍ତ ନିରିକ୍ଷଣ ପାଇଁ ପେଗାସସ ସ୍ୱାଇୱେୟାରକୁ କିଭଳି ବ୍ୟବହାର କରାଯାଇଥିଲା ତାହା ରିପୋର୍ଟରେ ବର୍ଣ୍ଣନା କରାଯାଇଛି । ସାମ୍ବାଦିକ ଓ ସରକାର ବିରୋଧୀଙ୍କ ଉପରେ ନଜର ରଖିବା ପାଇଁ ମେକ୍ସିକୋ ଏହାକୁ ବ୍ୟବହାର କରିଥିବା ବେଳେ ସୌଦି ଆରବ ଏହାକୁ ମହିଳା ଅଧିକାର କର୍ମୀ ତଥା ସାମ୍ବାଦିକ ଜମାଲେ ଖାସୋଗିଙ୍କ ଗୁପ୍ତଚର କାର୍ଯ୍ୟରେ ବ୍ୟବହାର କରିଛି । ରିପୋର୍ଟରେ କୁହାଯାଇଛି କି ଯେଉଁ ଦେଶରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଗାସସ ବ୍ୟବହାରକୁ ଅନୁମୋଦନ କରିଛି ସେହି ଦେଶ ସହିତ ପୋଲାଣ୍ଡ , ହଙ୍ଗେରୀ ଓ ଭାରତ ଅନ୍ତର୍ଭୁକ୍ତ ।

Share