ଗୌତମ ଗମ୍ଭୀର: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେବା ସ୍ବାଭାବିକ। ଚଳିତ ବିଶ୍ୱକପ୍ରେ ଅହମଦାବାଦରେ ଦୁଇ ଦଳ ମୁହଁାମୁହିଁ ହେବେ। ଏହାକୁ କେହି ମିସ୍ କରିବାକୁ ଚାହିଁବେ ନାହିଁ। ଏହି ମ୍ୟାଚ ଯେଉଁ ଦଳ ଜିତିବ ନଭେମ୍ବର ୧୯ ଫାଇନାଲକୁ ଆଉ ଏକ ପାଦ ଅଗ୍ରସର ହେବ। ଭୌଗୋଳିକ ଅବସ୍ଥିତି ଓ ରାଜନୈତିକ ଦୃଷ୍ଟିକୋଣରୁ ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ହାଇ-ପ୍ରୋଫାଇଲ ରହିଆସିଛି। ଖେଳାଳିଙ୍କ କ୍ରୀଡ଼ା ନୈପୁଣ୍ୟ ଅପେକ୍ଷା ଦୁଇ ଦେଶର ଇତିହାସ ପ୍ରତିଯୋଗିତା ପାଇଁ ଏକ ମଜଭୁତ ପୃଷ୍ଠଭୂମି ସୃଷ୍ଟି କରିଥାଏ। ମୁଁ କିନ୍ତୁ ଏସବୁ ପସନ୍ଦ କରେ ନାହିଁ। ଏହା ଏକ ଯୁଦ୍ଧ ନୁହେଁ। ଯଦି ଭାରତ ହାରିଯାଏ ତେବେ କାହାରି ମୃତ୍ୟୁ ଘଟେ ନାହିଁ। ଦୁଇ ଦଳ ମଧ୍ୟରେ ଯଦି ତୁଳନା କରାଯାଏ ତେବେ ଭାରତ ଏହି ମ୍ୟାଚ ଜିତିବା କଥା। ଯଦି ଅବା ହାରିଯାଏ ତେବେ କିଛି ଅସିଦ୍ଧ ହୋଇଯିବ ନାହିଁ। ପାକିସ୍ତାନ କ୍ଷେତ୍ରରେ ମଧ୍ୟ ସେୟା। ୨୦୦୫-୦୬ର ଜଣେ ପାକିସ୍ତାନ ଖେଳାଳି ଥରେ ମୋତେ କହିଥିଲେ, ସେ ଜଣେ ଝିଅ ସହ ଡେଟିଂରେ ଥିଲେ। କିନ୍ତୁ ଝିଅର ପରିବାର ଦୁହିଁଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଭାରତ ବିପକ୍ଷ ଏକ ସିରିଜରେ ଭଲ ପ୍ରଦର୍ଶନ କରିବାରୁ ସେମାନେ ମତ ପରିବର୍ତ୍ତନ କରିଥିଲେ। ଫଳତଃ ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିପାରିଥିଲେ। ପାକିସ୍ତାନ ଏପରି ଏକ ଦଳ ଏହାକୁ ନେଇ ପୂର୍ବାନୁମାନ କରିହେବ ନାହିଁ। ଏହାର ରଣନୀତି ଅଣପାରମ୍ପରିକ। ସେଥିପାଇଁ ସେମାନଙ୍କ ମ୍ୟାଚରେ ରୋମାଞ୍ଚ ଆଶା କରାଯାଇଥାଏ। ଭାରତ ତୁଳନାତ୍ମକ ଭାବେ ବ୍ୟବସ୍ଥିତଭିତ୍ତିକ ଦଳ। ଏହି ଦଳରେ ଶୁବମନ ଗିଲ୍, ଇଶାନ କିଶନ, କୁଲ୍ଦୀପ ଯାଦବଙ୍କ ଭଳି ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି। ପାକିସ୍ତାନ ତୁଳନାରେ ଆମ ଦଳ ଅଧିକ ସନ୍ତୁଳିତ । ସେମାନଙ୍କ ସ୍ପିନ୍ ବିଭାଗ କିନ୍ତୁ ଶକ୍ତିଶାଳୀ ମନେହୁଏ। ପାକିସ୍ତାନରେ ଏକଦା ଅବଦୁଲ କାଦିର ଓ ସାକ୍ଲେନ ମୁସ୍ତାକଙ୍କ ଭଳି ପ୍ରତିଭାସମ୍ପନ୍ନ ସ୍ପିନର ଥିଲେ। ସେଭଳି ଖେଳାଳି ଆଉ ଦେଖିବାକୁ ମିଳୁନାହାନ୍ତି। ସମ୍ଭବତଃ ସ୍ପିନ ଶିକ୍ଷାର ଅଭାବ ରହିଛି। ସଦାବ ଖାନ୍, ମହମ୍ମଦ ନଓ୍ବାଜ ଓ ଇଫ୍ତିକର ଅହମଦଙ୍କୁ ନେଇ ସ୍ପିନ୍ ବିଭାଗ ଭାରତ ଭଳି ଦଳକୁ ଆଉଟ କରିଦେବ ଏକଥା ମନେକରିବା ବୋକାମି ହେବ। ସେ ତୁଳନାରେ ଆମର ଅଶ୍ୱିନ, ଜାଡେଜା ଓ କୁଲଦୀପ ଜଣେ ଜଣେ ମ୍ୟାଚ ବିଜୟୀ ଖେଳାଳି। ଏପରିକି ଭାରତର ପେସ ବାହିନୀରେ କେତେଜଣ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ପାକିସ୍ତାନ କେବଳ ଶାହିନ ଶାହା ଆଫ୍ରିଦିଙ୍କ ପ୍ରଦର୍ଶନ ଉପରେ ନିର୍ଭରଶୀଳ। ପରିଶେଷରେ ଅହମଦାବାଦରେ ୧,୩୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ବୋଲିଂ ଏବଂ ପାକିସ୍ତାନର ବ୍ୟାଟରମାନେ କିପରି ଦୃଢମାନସିକାତର ସହ ତାହାର ମୁକାବିଲା କରୁଛନ୍ତି, ତାହା ଲକ୍ଷ୍ୟ କରିବାର କଥା।
(ଗେମ୍ପ୍ଳାନ୍/ଦୀନେଶ
ଚୋପ୍ରା ମିଡିଆ)