Categories: ଖେଳ

ଫାଇନାଲରେ ଇଣ୍ଡିଆ କ୍ୟାପିଟାଲ୍ସ

ଯୋଧପୁର,୩ା୧୦(ପି.ଟି.): ଲିଜେଣ୍ଡ୍ସ ଲିଗ୍‌ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ କ୍ୟାପିଟାଲ୍ସ। ପ୍ରଥମ କ୍ୱାଲିଫାୟରରେ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭିଲ୍‌ଓ୍ବାରା କିଙ୍ଗ୍ସକୁ ଦଳ ୪ ଉଇକେଟରେ ହରାଇଥିଲା। ୨୨୭ ରନ୍‌ ବିଶାଳ ଲକ୍ଷ୍ୟର ପିଛା କରୁଥିବା କ୍ୟାପିଟାଲ୍ସ ପକ୍ଷରୁ ରସ୍‌ ଟେଲର ଓ ଆସଲେ ନର୍ସ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ ବଲ ପୂର୍ବରୁ ଦଳ ବିଜୟୀ ହୋଇଥିଲା।
ଭିଲ୍‌ଓ୍ବାରା କିଙ୍ଗ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ମର୍ନେ ଭାନ୍‌ ଓ୍ବିକ୍‌(୪) ପ୍ରଥମ ଓଭରରେ ଜନ୍‌ସନଙ୍କ ଶିକାର ହୋଇଥିଲେ। ତେବେ ଓ୍ବିଲିୟମ ପୋର୍ଟରଫିଲ୍ଡ(୫୯) ଓ ସେନ୍‌ ଓ୍ବାଟସନ୍‌(୬୫) ଦ୍ୱିତୀୟ ଉଇକେଟରେ ୧୧୬ ରନ୍‌ ଯୋଡ଼ିଥିଲେ। ପୋର୍ଟରଫିଲ୍ଡ ୩୭ ବଲ୍‌ ଖେଳି ୭ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟପକ୍ଷରେ ଓ୍ବାଟସନ୍‌ ୩୯ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ମାରିଥିଲେ। ପରେ ୟୁସୁଫ୍‌ ପଠାନଙ୍କ ୨୪ ବଲ୍‌ରେ ୪୮ ଓ ରାଜେଶ ବିଷ୍ଣୋଇଙ୍କ ୧୧ ବଲ୍‌ରେ ୩୬ ରନ୍‌ ବଳରେ ଭିଲ୍‌ଓ୍ବାରା କିଙ୍ଗ୍ସ ୫ ଉଇକେଟରେ ୨୨୬ ରନ୍‌ କରିଥିଲା। ୟୁସୁଫ୍‌ ୩ ଚୌକା ଓ ୪ ଛକା ମାରିଥିବା ବେଳେ ବିଷ୍ଣୋଇ ୫ ଚୌକା ଓ ଦୁଇ ଛକା ମାରିଥିଲେ। କ୍ୟାପିଟାଲ୍ସ ପକ୍ଷରୁ ମିଚେଲ ଜନସନ୍‌ ସର୍ବାଧିକ ଦୁଇ ଉଇକେଟ ନେଇଥିବା ବେଳେ ଲିଆମ୍‌ ପ୍ଲଙ୍କେଟ୍‌, ପଙ୍କଜ ସିଂ ଓ ରଜତ ଭାଟିଆ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ତେବେ ରସ୍‌ ଟେଲର ଓ ଆସଲେ ନର୍ସଙ୍କ ଇନିଂସ କିଙ୍ଗ୍ସ ଆଶାରେ ପାଣି ଭରି ଦେଇଥିଲା। ୨୨୭ ରନ୍‌ ଲକ୍ଷ୍ୟରେ ଅଧିନାୟକ ଗୌତମ ଗମ୍ଭୀର ମାତ୍ର ୧ ରନ୍‌ କରି ମଣ୍ଟି ପାନେସରଙ୍କ ଶିକାର ହୋଇଥିଲେ। ଏହାସହିତ ଦଳ ୪୮ ରନ୍‌ ମଧ୍ୟରେ ୩ ଉଇକେଟ ହରାଇଥିଲା। ତେବେ ରସ୍‌ ଟେଲର ଧୂଆଁଧାର ବ୍ୟାଟିଂ କରିବା ସହିତ ଆସଲେ ନର୍ସଙ୍କ ସହ ମିଶି ମ୍ୟାଚ୍‌କୁ କିଙ୍ଗ୍‌ସ ପଞ୍ଝାରୁ ଛଡ଼ାଇ ନେଇଥିଲେ। ଟେଲର ୩୯ ବଲରୁ ଦ୍ରୁତ ୮୪ ରନ୍‌ କରିଥିବା ବେଳେ ଆସଲେଙ୍କ ସହିତ ୫୮ ରନ୍‌ ଯୋଡ଼ିଥିଲେ। ଟେଲରଙ୍କ ଇନିଂସରେ ୯ ଚୌକା ଓ ୫ ଛକା ସାମିଲ ଥିଲା। ଟେଲର ଆଉଟ ହେବାବେଳକୁ କ୍ୟାପିଟାଲ୍ସକୁ ବିଜୟ ପାଇଁ
୨୯ ବଲ୍‌ରେ ୫୯ ରନ୍‌ ଆବଶ୍ୟକ ଥିଲା। ଆସଲେଙ୍କ ଅପରାଜିତ ୬୦ ଓ ଲିଆମ ପ୍ଲଙ୍କେଟ୍‌ଙ୍କ ଦ୍ରୁତ ବ୍ୟାଟିଂ ବଳରେ ୩ ବଲ ପୂର୍ବରୁ ଦଳ ମ୍ୟାଚ ଜିତି ନେଇଥିଲା। ୨୮ ବଲ୍‌ ଖେଳିଥିବା ନର୍ସ ୫ ଚୌକା ଓ ୪ ଛକା ମାରିଥିଲେ। ଅନ୍ତିମ ଓଭରରେ ୧୦ ରନ୍‌ ଆବଶ୍ୟକ ଥିବା ବେଳେ ପ୍ରଥମ ୩ ବଲ୍‌ରେ ହିଁ ନର୍ସ ମ୍ୟାଚ ଶେଷ କରିଦେଇଥିଲେ। ଫିଡେଲ ଏଡ୍‌ଓ୍ବାଡର୍‌ସ ଦୁଇଟି ଉଇକେଟ ନେଇଥିବା ବେଳେ ଏସ୍‌ ଶ୍ରୀସନ୍ଥ, ମଣ୍ଟି ପାନେସର, ଜେସଲ କେରିଆ ଓ ସୁଦୀପ ତ୍ୟାଗୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ରସ୍‌ ଟେଲରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ସୋମବାର ଖେଳାଯିବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଜାଏଣ୍ଟ୍‌ସକୁ ଭେଟିବ ଭିଲ୍‌ଓ୍ବାରା କିଙ୍ଗ୍‌ସ।

Share