Categories: ଜାତୀୟ

ପିଓକେରେ ଆକ୍ରମଣ କଲା ଭାରତ

ନୂଆଦିଲ୍ଲୀ,୧୯।୧୧-ଭାରତୀୟ ସେନା ଗୁରୁବାର ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ‘ପିନ୍‌ପଏଣ୍ଟ ଷ୍ଟ୍ରାଇକ୍‌’ କରିଛି। ନିୟନ୍ତ୍ରଣରେଖା (ଏଲ୍‌ଓସି) ସେପଟେ ଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ଭାରତକୁ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଆର୍ଟିଲିଏରି ଓ ଟ୍ୟାଙ୍କ୍‌ ନିରୋଧୀ କ୍ଷେପଣାସ୍ତ୍ର ପ୍ରୟୋଗ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ସୀମାପାର ଷ୍ଟ୍ରାଇକ୍‌ରେ ପିଓକେସ୍ଥିତ ଆତଙ୍କବାଦୀଙ୍କ କେତେକ ଲଞ୍ଚ୍‌ପ୍ୟାଡ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା କୁହାଯାଉଛି।
ଶୀତଋତୁରେ ବରଫ ଜମାଟ ବାନ୍ଧିଲେ ଏଲ୍‌ଓସି ଦେଇ ଅଧିକରୁ ଅଧିକ ସଂଖ୍ୟକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାକିସ୍ତାନୀ ସେନାର ପୁରୁଣା ଅଭ୍ୟାସ। ଏହି କ୍ରମରେ ପ୍ରତିପକ୍ଷ ସେନା ଭାରତୀୟ ସେନାର କେତେକ ଶିବିରକୁ ଟାର୍ଗେଟ କରି ଆତଙ୍କବାଦୀଙ୍କ ଅନୁପ୍ରବେଶ ପଥ ସୁଗମ କରିବାରେ ଲାଗିଛି। ଚଳିତ ବର୍ଷ ପାକିସ୍ତାନୀ ସେନାର ସୀମାପାର ଗୁଳିରେ ୨୧ ନୀରିହ ନାଗରିକଙ୍କ ଜୀବନ ଯାଇଛି। ୨୦୧୯ରେ ଏହି ସଂଖ୍ୟା ୧୮ ଥିଲା। ଗତ ଶୁକ୍ରବାରର ଅସ୍ତ୍ରବିରତି ଉଲ୍ଲଂଘନରେ ୫ ସୁରକ୍ଷା କର୍ମୀ ଶହୀଦ ହୋଇଥିବାବେଳେ ୪ ନାଗରିକ ନିହତ ହୋଇଥିଲେ। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ୮ ପାକିସ୍ତାନୀ ସୈନ୍ୟ ନିହତ ଓ ୧୨ ଆହତ ହୋଇଥିଲେ।

Share