Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା, PIB ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୩: ପିଆଇବିର ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଉପରେ ରୋକୋ ଲଗାଇଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଗୁରୁବାର ଫ୍ୟାକ୍ଟ ଚେକ୍‌ ୟୁନିଟ୍‌(ଏଫ୍‌ସିୟୁ) ଉପରେ ରୋକ ଲଗାଯାଇଛି। ଭାରତର ମୁଖ୍ୟ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ, ବିଚାରପତି ଜେ ବି ପାରଦୀଓ୍ବାଲା, ମନୋଜ ମିଶ୍ରଙ୍କ ପୀଠ ମାମଲାର ଶୁଣାଣି କରି ଏହାକୁ ଅଭିବ୍ୟକ୍ତି ସ୍ବତନ୍ତ୍ରତା ସମ୍ବନ୍ଧୀୟ ବୋଲି କହିବା ସହ ରୋକୋ ଲଗାଇଛନ୍ତି।

ପ୍ରକାଶ ଯେ,ଆଇଟି ନିୟମ ୨୦୨୧ ଅଧୀନରେ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟକୁ ନେଇ ସରକାର ବଡ଼ ଘୋଷଣା କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ବା ତଥ୍ୟ ଯାଞ୍ଚ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ବୁଧବାର ଭାରତ ସରକାର ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଥିଲେ ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ବୁଧବାର ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରେ ସୂଚନା ପ୍ରଯୁକ୍ତି ବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା କୋଡ୍) ନିୟମ, ୨୦୨୧ର ନିୟମ ୩ର ଉପ-ଧାରା (ଭି)ର ଉପଧାରା (୧)ର ବ୍ୟବସ୍ଥା ଅଧୀନରେ ପିଆଇବି ଏଫସିୟୁକୁ ନେଇ ସୂଚନା ଦିଆଯାଇଥିଲା ।

ପିଆଇବି ଅଧୀନରେ ଫ୍ୟାକ୍ଟ ଚେକ୍ ୟୁନିଟ୍ ନଭେମ୍ବର ୨୦୧୯ରେ ପ୍ରତିଷ୍ଠା କରାଯାଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ମିଥ୍ୟା ଖବର ଏବଂ ଭୁଲ ସୂଚନା ସୃଷ୍ଟିକାରୀ ଏବଂ ପ୍ରସାରକଙ୍କ ବିରୋଧରେ ଏକ ପ୍ରତିରୋଧକ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବା। ଏହା ଲୋକମାନଙ୍କୁ ଭାରତ ସରକାରଙ୍କ ସମ୍ବନ୍ଧରେ ସନ୍ଦେହଜନକ ଏବଂ ଆପତ୍ତିଜନକ ସୂଚନା ରିପୋର୍ଟ କରିବାପାଇଁ ଏକ ସହଜ ବ୍ୟବସ୍ଥା ମଧ୍ୟ ପ୍ରଦାନ କରିଥାଏ।

Share