ପାକିସ୍ତାନ ମିଡିଆର ପ୍ରଥମ ପୃଷ୍ଠାରେ ଶିରୋନାମା ମଣ୍ଡନ କଲା ଭାରତର ଚନ୍ଦ୍ରାୟନ-୩

ଇସଲାମାବାଦ,୨୪।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଲା। ଇସ୍ରୋର ମତ୍ୱାକାଂକ୍ଷି ମୁନ ମିଶନ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ବା ସାଉଥ ପୋଲରେ ସପ୍ଟ ଲ୍ୟାଣ୍ଡିଂ କଲା। ଏହାସହ ଚନ୍ଦ୍ରର ଏହି ଭାଗରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା। ସାରା ବିଶ୍ୱରେ ଭାରତ ବିଜୟର ଗୌରବ ବହନ କଲା। ସାରା ବିଶ୍ୱର ମିଡିଆରେ ଚନ୍ଦ୍ରାୟନ-୩ର ସଫଳତାର ଖବର ପ୍ରକାଶ କରାଗଲା।

ସୌଦି ଆରବ, ବ୍ରିଟେନ, ଆମେରିକା ସମେତ ସମସ୍ତ ଦେଶର ଗଣମାଧ୍ୟମ ଭାରତର ଐତିହାସିକ ସଫଳତା ବିଷୟରେ ଖବର ପ୍ରଚାର କରିଥିଲେ। ଏଥି ସହିତ ଭାରତର ପଡୋଶୀ ଦେଶ ପାକିସ୍ଥାନ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କର ତିକ୍ତତା ସତ୍ତ୍ୱେ ଅଗଷ୍ଟ ୨୪(ଗୁରୁବାର) ରେ ଚନ୍ଦ୍ରାୟନ-୩ର ‘ସପ୍ଟ ଲ୍ୟାଣ୍ଡିଂ’ର ଖବରକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଛି।
ଚନ୍ଦ୍ରାୟନ -୩ ର ସଫଳ ଅବତରଣରେ, ଅଧିକାଂଶ ପାକିସ୍ତାନୀ ଖବରକାଗଜ ଏବଂ ୱେବସାଇଟର ଶୀର୍ଷକ ଥିଲା ‘ଚନ୍ଦ୍ରର ସାଉଥ ପୋଲ ନିକଟରେ ଅବତରଣ କରିଥିବା ଭାରତ ପ୍ରଥମ ଦେଶ’। ଏଥି ସହିତ ପାକିସ୍ତାନର ସର୍ବାଧିକ ପଠିତ ଖବରକାଗଜ ‘ଡନ’ ନିଜ ୱେବସାଇଟରେ ଚନ୍ଦ୍ରୟାନ -୩ର କଭରେଜ ଉପରେ ଦେଇଥିବା ରିପୋର୍ଟରେ କହିଛି ଯେ ଏହା ବିଶ୍ୱର ବହୁ ଜନବହୁଳ ଦେଶ ତଥା ଏହାର ଉଚ୍ଚାଭିଳାଷୀ, ସ୍ବଳ୍ପ ମୂଲ୍ୟର ସ୍ପେସ କାର୍ଯ୍ୟକ୍ରମ ପାଇଁ ଏକ ଐତିହାସିକ ବିଜୟ।
ଅଧିକନ୍ତୁ, ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଏହାକୁ ଭାରତର ମହାକାଶ ଏଜେନ୍ସି ଇସ୍ରୋ ପାଇଁ ଏକ ମହାନ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।

Share