ଟୁଇଟରରେ ଭାରତ, ଚାଇନା ଏଜେଣ୍ଟ

ଓ୍ବାଶିଂଟନ୍‌, ୧୫ା୯: ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରର ପୂର୍ବତନ ସୁରକ୍ଷା ମୁଖ୍ୟ ତଥା ହ୍ବିସିଲ୍‌ବ୍ଲୋଓର ପିଟର ମଜ୍‌ ଜାଟ୍‌କୋ ଆମେରିକା ସିନେଟ୍‌ର ନ୍ୟାୟିକ କମିଟି ଆଗରେ ଚକିତ କଲାଭଳି ତଥ୍ୟ ରଖିଛନ୍ତି। ଭାରତ ଓ ଚାଇନାର ଏଜେଣ୍ଟ ଟୁଇଟରରେ ବେତନଭୋଗୀ କର୍ମଚାରୀ ଭାବେ କାମ କରିଛନ୍ତି। ଟୁଇଟର ଜାଣିଶୁଣି କମ୍ପାନୀର ଷ୍ଟାଫ୍‌ମାନଙ୍କ ସହ ଭାରତୀୟ ଏଜେଣ୍ଟଙ୍କୁ ଲିଙ୍କ୍‌ରେ ରଖିବା ପାଇଁ ଅନୁମତି ଦେଇଛି। ଫଳରେ ଏହି ଏଜେଣ୍ଟମାନେ ସହଜରେ ସମ୍ପୃକ୍ତ ଦେଶକୁ ୟୁଜର୍ସଙ୍କ ସମ୍ବେଦନଶୀଳ ତଥ୍ୟ ଯୋଗାଉଥିଲେ ବୋଲି ଜାଟ୍‌କୋ ପ୍ରଘଟ କରିଛନ୍ତି। ଟୁଇଟର ସାଇବର ସୁରକ୍ଷା ଦୁର୍ବଳ ଏବଂ ଏହାର ୟୁଜର୍ସଙ୍କ ଗୋପନୀୟତା ବିପଦରେ ଥିବା ସେ ପ୍ରକାଶ କରିଛନ୍ତି।
ବିରୋଧରେ ଜାଟ୍‌କୋ ଆଣିଥିବା ଅନେକ ଅଭିଯୋଗର ସାକ୍ଷ୍ୟ ପ୍ରମାଣ ଦେବାକୁ ସେ ସିନେଟ କମିଟି ସମ୍ମୁଖରେ ହାଜର ହୋଇଥିଲେ।

ସିନେଟ୍‌ର ସଦସ୍ୟ ଥିବା ଆମେରିକା ଏମ୍‌ପିଙ୍କ ସମ୍ମୁଖରେ ଜାଟ୍‌କୋ କହିଛନ୍ତି, ଚାଇନା ଗୋଇନ୍ଦା ଏଜେଣ୍ଟଙ୍କ ମଧ୍ୟରୁ ଅନୂ୍ୟନ ଜଣେ ଟୁଇଟରରେ କାମ କରିଛନ୍ତି। କମ୍ପାନୀର ନେତୃତ୍ୱ ନେଉଥିବା ଅଧିକାରୀମାନେ କେବଳ ଲୋକଙ୍କୁ ନୁହେଁ ସରକାର, ଆଇନପ୍ରଣେତା, ନିୟାମକ ଏପରିକି ନିଜ ଡାଇରେକ୍ଟର ବୋର୍ଡକୁ ମଧ୍ୟ ବିଭ୍ରାନ୍ତ କରୁଛନ୍ତି। ଦୁର୍ବଳ ସାଇବର ସୁରକ୍ଷା ଯୋଗୁ ଅନେକେ ନିର୍ଯାତନାର ଶିକାର ହୋଇଛନ୍ତି କିମ୍ବା ହେବା ଆଶଙ୍କା ରହିଛି। ସେମାନଙ୍କ ପ୍ରିଭେସି(ଅନ୍ତରଙ୍ଗ ତଥ୍ୟ) ପ୍ରତି ବିପଦ ରହିଛି। ଟୁଇଟର ନେତୃତ୍ୱ ଏହାର ଇଞ୍ଜିନିୟରଙ୍କୁ ଅବହେଳା କରିଆସିଛନ୍ତି। ସେମାନେ ସୁରକ୍ଷା ଅପେକ୍ଷା କମ୍ପାନୀର ଲାଭକୁ ପ୍ରାଧାନ୍ୟ ଦିଅନ୍ତି। ଟୁଇଟରରେ କେଉଁମାନଙ୍କ ଡାଟା ରହିଛି, ତାହା କେଉଁଠାରୁ ଆସିଛି, କୁଆଡ଼େ ଯାଉଛି ସେ ବାବଦରେ ମଧ୍ୟ ଏହି ନେତୃତ୍ୱ ଟିମ୍‌ ନିକଟରେ କିଛି ଖବର ନାହିଁ। ସିକ୍ୟୁରିଟି ଲକ୍‌ ନ ରହିଲେ ବି ସେମାନଙ୍କୁ ଫରକ୍‌ ପଡ଼େନାହିଁ ବୋଲି ଜାଟ୍‌କୋ କହିଛନ୍ତି।
ଟୁଇଟର ଏକ ବିବୃତିରେ ଏ ନେଇ ସ୍ପଷ୍ଟୀକରଣ ରଖିଛି। ଏହାର ନିଯୁକ୍ତି ପ୍ରକ୍ରିୟା ସ୍ବାଧୀନ ଏବଂ ଏହା ଉପରେ ବିଦେଶୀ ପ୍ରଭାବ ନ ଥାଏ। ଡାଟା ସୁରକ୍ଷା ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି। ଏଥିରେ ବ୍ୟାକଗ୍ରାଉଣ୍ଡ ଚେକ୍‌, ଆକ୍ସେସ୍‌ କଣ୍ଟ୍ରୋଲ୍‌, ଗୁପ୍ତଚରଗିରି ଉପରେ ନଜର ରଖାଯିବା ସହ ଗ୍ରାହକଙ୍କ ଗୋପନୀୟତା ଓ ନିରାପତ୍ତାର ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି ବୋଲି କମ୍ପାନୀ କହିଛି। ଟୁଇଟର କିଣିବା ପାଇଁ ୪୪ ବିଲିୟନ ଡଲାରର ଡିଲ୍‌ କରିଥିବା ଟେସ୍‌ଲା ମାଲିକ ଏଲନ୍‌ ମସ୍କଙ୍କ କହିବା ଅନୁସାରେ, ଏହି ସୋସିଆଲ ମିଡିଆର ବାସ୍ତବ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା କମ୍ପାନୀ ଦେଖାଉଥିବା ସଂଖ୍ୟାଠାରୁ ଢେର୍‌ କମ୍‌।

Share