ମସ୍କୋ/ନୂଆଦିଲ୍ଲୀ,୨୮।୧ : ରୁଷିଆ ପୁଣିଥରେ ଭାରତ ଏବଂ ଚାଇନାକୁ ପ୍ରଶଂସା କରିଛି। ଏହାକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକର ଚିନ୍ତା ବଢ଼ିବାରେ ଲାଗିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ଚାଇନା ଏବଂ ଭାରତ ଅନେକ କ୍ଷେତ୍ରରେ ଆମେରିକା ତଥା ୟୁରୋପୀୟ ୟୁନିଅନର ସଦସ୍ୟଙ୍କଠାରୁ ଆଗରେ ଅଛନ୍ତି। ସେ ଚାଇନ ଏବଂ ଭାରତକୁ ତାଙ୍କର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଏହି ସମୟରେ ସେ ନୂତନ ଅର୍ଥନୈତିକ ଶକ୍ତିର ବିକାଶ, ଆର୍ଥିକ ଏବଂ ରାଜନୈତିକ ପ୍ରଭାବ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।
ଲାଭରୋଭ ଆମେରିକାକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ହାଇବ୍ରିଡ ଯୁଦ୍ଧ ମାଧ୍ୟମରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଆର୍ଥିକ ଶକ୍ତି, ଆର୍ଥିକ ତଥା ରାଜନୈତିକ ପ୍ରଭାବ ଭାରତ ଏବଂ ଚାଇନା ଭଳି ଦେଶର ବିକାଶକୁ ବନ୍ଦ କରିପାରିବେ ନାହିଁ। ସେ କହିଛନ୍ତି ଯେ ଉଭୟ ଚାଇନା ଏବଂ ଭାରତ ଅନେକ କ୍ଷେତ୍ରରେ ଆମେରିକା ଏବଂ ୟୁରୋପୀୟ ଦେଶଠାରୁ ଆଗରେ ଅଛନ୍ତି।
ତୁର୍କୀ, ଇଜିପ୍ଟ, ପାର୍ସୀ ଗଲ୍ଫ ଦେଶ, ବ୍ରାଜିଲ ଏବଂ ଅନ୍ୟାନ୍ୟ ଲାଟିନ ଆମେରିକୀୟ ଦେଶକୁ ବହୁ-ପୋଲାରିଟିର ଭବିଷ୍ୟତ କେନ୍ଦ୍ର ଭାବରେ ବର୍ଣ୍ଣନା କରି ଲାଭରୋଭ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏହା ପ୍ରଭାବଶାଳୀ ତଥା ଆତ୍ମନିର୍ଭରଶୀଳ କେନ୍ଦ୍ର ଭାବରେ ଉଭା ହେଉଛି। ଇରିଟ୍ରିଆରେ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ଲାଭରୋଭ ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ଶେଷରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।