ବେଜିଂ,୧୯।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଚାଇନା ସେନା ପ୍ୟାଙ୍ଗୋଙ୍ଗ ହ୍ରଦ ଉପରେ ଏକ ସାମରିକ ଅଭ୍ୟାସ କରି ଏହାର ଏକ ଭିଡିଓ ମଧ୍ୟ ଜାରି କରିଛି। ୧୬ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଡ୍ରାଗନର ଏଭଳି କାର୍ଯ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖାଯାଇଛି ଯେ, ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ପ୍ୟାଙ୍ଗୋଙ୍ଗ ହ୍ରଦ ନିକଟରେ ସାମରିକ ଅଭ୍ୟାସ କରୁଛି। କେବଳ ଏତିକି ନୁହେଁ, ଚାଇନା ସେନାର ହେଲିକପ୍ଟରଗୁଡିକ ଏହି ହ୍ରଦ ଉପରେ ଉଡୁଥିବା ଦେଖିବାକୁ ମିଳିଛି। ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ପରେ ଏଭଳି ଭିଡିଓ ରିଲିଜ ହେବା ଚାଇନାର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି।
ସୂଚନାଯୋଗ୍ୟ, ଲଦାଖର ପ୍ୟାଙ୍ଗୋଙ୍ଗ ଅଞ୍ଚଳରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଏହାକୁ ହ୍ରାସ କରିବାକୁ ଦୁଇ ଦିନ ପୂର୍ବରୁ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନା ବିଫଳ ହୋଇଛି। ତେବେ ଉଭୟ ଦେଶର ସେନା ପକ୍ଷରୁ ମିଳିତ ବିବୃତ୍ତି ଜାରି କରାଯାଇ ଏହି ଆଲୋଚନା ଜାରି ରହିବ ବୋଲି କୁହାଯାଇଛି।