Categories: ଜାତୀୟ

ସେନା ପ୍ରତ୍ୟାହାର ଲାଗି ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ,୨।୮: ପୂର୍ବ ଲଦାଖର ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର ଲାଗି ଭାରତ ଓ ଚାଇନା ରାଜି ହୋଇଛନ୍ତି। ଶନିବାର ଚୁଶୁଲ-ମୋଲ୍‌ଡୋ ସୀମାରେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ସେନା କମାଣ୍ଡର ସ୍ତରୀୟ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନା ଫଳପ୍ରଦ ହୋଇଥିବା କୁହାଯାଇଛି। ବୈଠକରେ ଗୋଗ୍ରା ଏବଂ ହଟ୍‌ସ୍ପ୍ରିଙ୍ଗ ଫ୍ରାକ୍ସନ ପଏଣ୍ଟରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇ ନ ଥିବା କଥା ଉଠିଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଅବଶିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ ବୋଲି ସୋମବାର ଭାରତ-ଚାଇନା ପକ୍ଷରୁ ଜାରି ମିଳିତ ବିବୃତିରେ କୁହାଯାଇଛି। ଅନ୍ୟ ପସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ ଅନୁଯାୟୀ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଉଭୟ ପାର୍ଶ୍ୱରୁ ଦୁଇ ଦେଶ ସେନା ପ୍ରତ୍ୟାହାର କରିନେଇଥିଲେ। ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଉଦ୍ୟମ ଜାରି ରଖିବାକୁ ଉଭୟ ସହମତ ହୋଇଥିଲେ।

Share