Categories: ଜାତୀୟ

ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଆଜି

ନୂଆଦିଲ୍ଲୀ,୨୦ ।୨: ଭାରତ-ଚାଇନା ମଧ୍ୟରେ ଏଲ୍‌ଏସିରେ ଲାଗି ରହିଥିବା ତୁତୁମେମେ ମଧ୍ୟରେ ଏବେ ଏହା ଶେଷ ହେବାକୁ ଯାଉଛି । ଉଭୟ ଦେଶର ସେନାପଛକୁ ଫେରିବା ଆରମ୍ଭ କରିଥିବା ବେଳେ ଏବେ ଦୁଇ ଦେଶ ମଧ୍ୟରେ ୧୦ମ କମାଣ୍ଡର ସ୍ତରୀୟ ବୈଠକ ଶନିବାର ଆୟୋଜିତ ହେବ । ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ଏବେ ସେନାଙ୍କୁ ପଛକୁ ହଟାଇବକୁ ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏବେ ଏହି ବୈଠକ ଭାରତର ଚୁରୁଲ ସେକ୍ଟର ନିକଟ ଚାଇନାର ମୋଲଡୋରେ ହେବ । ଏହି ବୈଠକକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଏଲ୍‌ଏସିରୁ ସେନା ହଟାଇବାର ଦ୍ୱିତୀୟ ପ୍ରକ୍ରିୟା ବିଷୟରେ ଆଲୋଚନା କରାଯିବ । ସୂଚନାଯୋଗ୍ୟ, ପୋଙ୍ଗୟାଙ୍ଗ ଅଞ୍ଚଳରୁ ସେନା ହଟାଇବା ପ୍ରଥମ ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି । ଫିଙ୍ଗର ଚାରି ଓ ଆଠ ମଧ୍ୟରେ ଟ୍ୟାଙ୍କ, ବହୁ ମାତ୍ରାରେ ସେନା ବାହାନ, ଅସ୍ତ୍ରଶସ୍ତ୍ର ସହ ସେଠାରେ ହୋଇଥିବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଭାଙ୍ଗି ଦେଇଛି ଚାଇନା । ଅନ୍ୟପଟେ ଡ୍ରୋନ୍ ଜରିଆରେ ଫିଙ୍ଗର ଆଠରୁ ଚାଇନା ସେନା ପଛକୁ ହଟୁଥିବା ପ୍ରକ୍ରିୟାର ଗତିବିଧି ମଧ୍ୟ ଦେଖିଛି ଭାରତୀୟ ସେନା । ଶନିବାର ବୈଠକ ପରେ ହୁଏତ ସୀମାରେ ଲାଗି ରହିଥିବା ଉତ୍ତେଜନା କମ୍ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Share