Categories: ଜାତୀୟ

ଭାରତ-ଚାଇନା ଟେନ୍‌ସନ; ୧୭ ନଭେମ୍ବରରେ ଭେଟାଭେଟି ହେବେ ମୋଦି-ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ, ୫।୧୦: ଭାରତ ଓ ଚାଇନା ମଧ୍ୟରେ କିଛି ମାସ ହେବ ଲାଗି ରହିଥିବା ସୀମା ବିବାଦକୁ ହ୍ରାସ କରିବା ଲାଗି ଉଦ୍ୟମ ଜାରି ରହିଛି। ଏହି ସମୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ୧୭ ନଭେମ୍ବରରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସାମ୍ନାସାମ୍ନି ହୋଇପାରନ୍ତି। କିନ୍ତୁ ଉଭୟ ନେତା ସୀମା ବିବାଦକୁ ନେଇ ଏହି ଅବସରରେ ଆଲୋଚନା କରିବେ କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ୧୭ ନଭେମ୍ବରରେ ହେବାକୁ ଥିବା ଏହି ଭର୍ଚୁଆଲ ବୈଠକରେ ବ୍ରିକ୍ସ ଦେଶ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିବେ।
ପ୍ରକାଶଯୋଗ୍ୟ, ଗତ ୫ ମାସ ଧରି ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନିକ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଯାହା ଉଭୟ ଦେଶର ସମ୍ପର୍କକୁ ନେଇ ତିକ୍ତତା ସୃଷ୍ଟି କରିଛି। ଏହି ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ କୂଟନୈତିକ ଓ ରାଜନୈତିକସ୍ତରରେ ଆଲୋଚନା କରିସାରିଛନ୍ତି। ତଥାପି କୌଣସି ସୁଫଳ ମିଳିପାରି ନାହିଁ। ଅକ୍ଟୋବର ୧୨ରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ଆଉ ଏକ ରାଉଣ୍ଡ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Share