Categories: ଜାତୀୟ

ସୁପ୍ରିମକୋର୍ଟରେ ଓଡ଼ିଆ ରୋଷେୟାଙ୍କ ଝିଅ ଜିତିଲେ ଆମେରିକାରେ ସ୍କଲାର୍‌ଶିପ୍‌, ସମ୍ବର୍ଦ୍ଧିତ କଲେ CJI ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ୧୪।୩: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଅନ୍ୟ ବିଚାରପତି ବୁଧବାର ସୁପ୍ରିମକୋର୍ଟରେ ଜଣେ ରୋଷେୟାଙ୍କ ଝିଅଙ୍କୁ ସମ୍ମାନିତ କରିଛନ୍ତି। ଆଇନରେ ସ୍ନାତକୋତ୍ତର ପାଇଁ ପ୍ରଜ୍ଞା ସାମଲ ଆମେରିକା ବିଶ୍ୱବିଦ୍ୟାଳୟରୁ ସ୍କଲାରଶିପ ଜିତିଛନ୍ତି। ଏହି ସଫଳତା ପାଇଁ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ପ୍ରଜ୍ଞାଙ୍କ ବାପା ଅଜୟ କୁମାର ସାମଲ ଓଡ଼ିଶାର। ସେ ସୁପ୍ରିମକୋର୍ଟରେ ରାନ୍ଧୁଣିଆ ଭାବେ କାର୍ଯ୍ୟ କରନ୍ତି। ବାପା ସର୍ବୋଚ୍ଚ ନ୍ୟାୟଳୟରେ କାମ କରୁଥିବା ବେଳେ ପ୍ରଜ୍ଞା ଆଇନ ପଢ଼ିବା ଲାଗି ଆଗ୍ରହ ଦେଖାଇଥିଲେ। ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ମାତ୍ର ଶେଷରେ ପ୍ରଜ୍ଞା ଯୁକ୍ତରାଷ୍ଟ୍ର ଆମେରିକାର ଦୁଇ ବିଶ୍ୱବିଦ୍ୟାଳୟରୁ ସ୍କଲାରଶିପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସୁପ୍ରିମକୋର୍ଟର ଜଣେ କର୍ମଚାରୀଙ୍କ ଝିଅଙ୍କ ସଫଳତାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନ ବିଚାରପତି। ଏହାପରେ ତାଙ୍କୁ କୋର୍ଟ ପରିସରକୁ ଡକାଇ ସମ୍ମାନିତ କରି କହିଛନ୍ତି, ପ୍ରଜ୍ଞା ନିଜ ପ୍ରଚେଷ୍ଟାରେ ସବୁକିଛି ହାସଲ କରିଛନ୍ତି, ହେଲେ ଆମେ ଏହା ସୁନିଶ୍ଚିତ କରିବା ଯେ ତାଙ୍କୁ ଯାହା ଆବଶ୍ୟତ ତାହା ଉପଲବ୍ଧ ହେଉ। ଦେଶର ସେବା କରିବା ଲାଗି ସେ ଫେରନ୍ତୁ ବୋଲି ଆଶା କରିବା। ସେ ଯାହା ବି କରିବେ, ସେଥିରେ ସର୍ବଶ୍ରେଷ୍ଠ ହାସଲ କରିବେ। ୧୪୦ କୋଟି ଲୋକଙ୍କ ସ୍ବପ୍ନ ସେ ନିଜ କାନ୍ଧରେ ନେଇ ଯିବେ ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟ ବିଚାରପତି ପ୍ରଜ୍ଞାଙ୍କୁ ନିଜ ଦସ୍ତଖତରେ ଗୋଟିଏ ପୁସ୍ତକ ପ୍ରଦାନ କରିଛନ୍ତି। ଏହାଛଡ଼ଶ ତାଙ୍କ ମା’ବାପାଙ୍କୁ ସାଲ୍‌ ଭେଟ ଦେଇଛନ୍ତି।

ପ୍ରଜ୍ଞା ପ୍ରଧାନ ବିଚାରପତି ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଦେବା ସହ ପରିବାରଲୋକଙ୍କ ସହାୟତାରୁ ସଫଳ ହୋଇଥିବା ପ୍ରକାଶ କରିଛନ୍ତି।ସ୍କୁଲ ଦିନରୁ ହିଁ ମା’ବାପା ତାଙ୍କ ପାଇଁ ସବୁକିଛି ତ୍ୟାଗ କରିଥିଲେ। ହେଲେ ଆଇନକୁ ବାଛିବା ଲାଗି ପ୍ରେରଣା ପ୍ରଧାନ ବିଚାରପତିଙ୍କଠାରୁ ଆସିଛି। ସେ ଯୁବ ଓକିଲମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ତାଙ୍କର ଶବ୍ଦ ରତ୍ନ ଭଳି ହୋଇଥାଏ। ପ୍ରଧାନ ବିଚାରପତି ତାଙ୍କ ପ୍ରେରଣା ବୋଲି ପ୍ରଜ୍ଞା କହିଛନ୍ତି।

Share