କୋକସରାରେ ଭାରତ ବନ୍ଦର ପ୍ରଭାବ, ଜନଜୀବନ ପ୍ରଭାବିତ

କୋକସରା,୨୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଏସ୍‌ଟି ଏସ୍‌ସିମାନଙ୍କ ଉପବର୍ଗୀକରଣ ଓ କ୍ରିମିଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ଆଜି ଏସ୍‌ଟି, ଏସ୍‌ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡି ଜିଲା ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ ସହ ଅଖ ଚକ ଜାମ୍‌ କରାଯାଇଛି।
ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକର କୋକସରା ଏସ୍‌ଟି, ଏସ୍‌ସି ସଂଘ ପକ୍ଷରୁ କୋକସରା ଥାନା ସମ୍ମୁଖରେ ସକାଳ ୬ଟାରୁ ଜାତୀୟ ରାଜପଥ ୨୬ ଅବରୋଧ କରି ଶତାଧିକ କର୍ମକର୍ତ୍ତା ନାରାବାଜି କରିବା ସହ ଉପବର୍ଗୀକରଣ ଓ କ୍ରିମିଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ବନ୍ଦପାଳନ କରିବା ସହ ଆନ୍ଦୋଳନକାରୀମାନେ ପିକେଟିଂ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରିଥିଲେ। ରାସ୍ତା ଅବରୋଧ ଅନେକ ଯାତ୍ରୀବାହୀ ବସର ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ଜନଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ବନ୍ଦ ପାଳନରେ ଆଦିବାସୀ ସଂଘ ସଭାପତି ହେମନ୍ତ କୁମାର ମାଝି, ଅଲ୍‌ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେଶନର ଆବାହକ ଗୋବର୍ଦ୍ଧନ ବାଗ, ପୂର୍ବତନ ଆଦିବାସୀ ସଂଘ ସଭାପତି ପଦ୍ମ କିଶୋର ପୂଝାରି, ଡମ୍ବ ସମାଜ ସମ୍ପାଦକ ଧବଳେଶ୍ବର ନାଗ, ବଞ୍ଜାରା ସମାଜ ଜିଲା ସଭାପତି ଯଶୋବନ୍ତ ସିଂ ନାଏକ, ଜୟଲାଲ ନାଏକ, ମୁକ୍ତେଶ୍ୱର ନାଏକ, ଗରୁଡ଼ଧ୍ୱଜ ମାଝି, ଅଶୋକ ପୂଝାରି, ସତ୍ୟବାନ ପାଣିଗ୍ରାହୀ, ବେଣୁପାଣି ଦୁର୍ଗା, ଘନଶ୍ୟାମ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁରୂପ ଭାବେ ଆମପାଣିଠାରେ ଟିକିଚନ୍ଦ୍ର ଧ. ମାଝୀ ଓ ମନୋରଞ୍ଜନ ବାଣୁଆ, ଲଡୁଗାଁଠାରେ ଆଦିବାସୀ ନେତା ଲକ୍ଷ୍ମଣ ଶବର, ଧର୍ମାନନ୍ଦ ଶବର, ଭକ୍ତରାମ ଶବର ଓ ଅନୁସୂଚିତ ଜାତି ପକ୍ଷରୁ ଗରୁଡ଼ ବାଗ, ପ୍ରଧାନୀ ବାଗଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା। ଅପରାହ୍ନ ୨ଟାରେ ରାସ୍ତା ଅବରୋଧ ହଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।