ଭାରତ ବନ୍ଦ: ବାଲେଶ୍ୱରରେ ପ୍ରଭାବ

ବାଲେଶ୍ୱର ଅଫିସ,୨୬।୧୧: କେନ୍ଦ୍ର ସରକାର ଜନ ବିରୋଧୀ ଏବଂ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଗୁରୁବାର ସକାଳ ୬ଠାରୁ ୨୪ ଘଣ୍ଟିଆ ବନ୍ଦରେ ବାଲେଶ୍ୱର ଜିଲା ସାମିଲ ହୋଇଛି। ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ୫୬ଟି କେନ୍ଦ୍ରୀୟ ଫେଡେରେଶନ ଏଥିରେ ସାମିଲ ହୋଇଛନ୍ତି। ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ ବନ୍ଦ, ଶ୍ରମ ଆଇନକୁ ପ୍ରତ୍ୟାହାର, ମାଗଣା ସ୍ବାସ୍ଥ୍ୟ ସେବା ଭଳି ୩୫ ଦଫା ଦାବିରେ ବନ୍ଦ ପାଳନ କରାଯାଉଛି। କଂଗ୍ରେସ ଶ୍ରମିକ ସଂଗଠନର ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ଭାଜପା ସମାନ୍ତରାଳ ଭାବେ ଆଜିଠାରୁ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଶ୍ରମିକ ସଂଗଠନ ସଦସ୍ୟ ମାନେ ଦଳ ଦଳ ହୋଇ ରେଳ ଷ୍ଟେଷନ, ବସଷ୍ଟାଣ୍ଡ, କୋର୍ଟ କଚେରୀ, ଜିଲାପାଳ ଅଫିସ, ପରିବା ମାର୍କେଟ, ବ୍ୟାଙ୍କ ଭଳି ବିଭିନ୍ନ ସ୍ଥାନ ବନ୍ଦ କରିଛନ୍ତି । ଜିଲା ଠାରୁ ବ୍ଲକ ପଯ୍ୟନ୍ତ କର୍ମଶାଳା ଓ ଭର୍ଚୁଆଲ ରାଲି ଆୟୋଜନ କରିଛି। ଭାଜପା ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାକୁ ଭଣ୍ଡୁର କରିବା ପାଇଁ ଏଭଳି କରୁଥିବାର ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି।