Categories: ଜାତୀୟ

ଭାରତ ବନ୍ଦ: କେରଳ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ, ୨୭।୧୧:କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ଓ କୃଷି ଆଇନକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଂଶିକ ସଫଳ ହୋଇଛି। କେରଳରେ ଏହି ବନ୍ଦର ପ୍ରଭାବ ସବୁଠାରୁ ବେଶୀ ଅନୁଭୂତ ହୋଇଛି। ଏଠାରେ ବିଭିନ୍ନ ଦୋକାନବଜାର, ଗାଡ଼ିମୋଟର ବନ୍ଦ ରହିଥିଲା। ସରକାରୀ ଅଫିସ୍‌ଗୁଡ଼ିକ ବନ୍ଦ ରହିବା ସହ ବ୍ୟାଙ୍କ ସେବା ବହୁଳ ଭାବରେ ପ୍ରଭାବିତ ହୋଇଥିଲା। ଏମିତିକି ଘରୋଇ ବସ୍‌, ଅଟୋ, ଟ୍ୟାକ୍ସି ଚଳାଚଳ କରୁ ନ ଥିବା ଜଣାପଡ଼ିଛି। ଇଣ୍ଡିଆନ୍‌ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ ସମେତ ୧୦ କେନ୍ଦ୍ରୀୟ ୟୁନିୟନ ଭାରତ ବନ୍ଦକୁ ସମର୍ଥନ କରିଥିଲେ। ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇଛି।
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଜୋର୍‌ଦାର ବିକ୍ଷୋଭ କରାଯିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ପଶ୍ଚିମବଙ୍ଗ ସରକାର ଭାରତ ବନ୍ଦକୁ ବିରୋଧ କରୁଥିଲେ ହେଁ ଶାସକ ତୃଣମୂଳ କଂଗ୍ରେସର ଟ୍ରେଡ ୟୁନିୟନ ଶାଖା ଏହାକୁ ସମର୍ଥନ କରିଥିଲା। ଏଥିସହ ବାମଦଳ, କଂଗ୍ରେସ ଭାରତ ବନ୍ଦରେ ସାମିଲ ହୋଇ ବିିଭିନ୍ନ ସ୍ଥାନରେ ଚକାବନ୍ଦ କରିଥିଲେ। କୋଲକାତାରେ ବିକ୍ଷୋଭକାରୀ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ବାମପନ୍ଥୀ ସମର୍ଥତ୍ତ ଟ୍ରେଡ ୟୁନିୟନ ସଦସ୍ୟମାନେ ରେଲ୍‌ଓ୍ବେ ଲାଇନ୍‌ ଅବରୋଧ କରିଥିଲେ। ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ କରାଯାଇଥିଲା। ହରିୟାଣା, ଓଡ଼ିଶା, ତ୍ରିପୁରା ଆଦି ରାଜ୍ୟରେ ଭାରତ ବନ୍ଦର ପ୍ରଭାବ ଅନୁଭୂତ ହେବା ସହ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିଲା। ଭାରତ ବନ୍ଦରେ ପ୍ରାୟ ୨୫ କୋଟି କର୍ମଚାରୀ ଯୋଗଦେଇଥିବା ଟ୍ରେଡ ୟୁନିୟନ ପକ୍ଷରୁ କୁହାଯାଇଛି।

Share