Categories: ଜାତୀୟ

ଇଣ୍ଡିଆ ସମନ୍ବୟ କମିଟି: ୧୩ ଜଣ ସଦସ୍ୟ ସାମିଲ…

ମୁମ୍ବାଇ,୨।୯ : ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା ପାଇଁ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ୨ ଦିନିଆ ବୈଠକ ଚାଲିଛି। ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ ଚାଲିଥିବା ବୈଠକର ଦ୍ୱିତୀୟ ଦିନରେ ନେତାମାନେ ଗୋଷ୍ଠୀ ଫଟୋ ଉଠାଇ ଏକତାର ବାର୍ତ୍ତା ଦେଇଥିଲେ।

ଏହା ବ୍ୟତୀତ ଶରଦ ପାୱାର, ତେଜସ୍ବୀ ଯାଦବ, ସଞ୍ଜୟ ରାଉତଙ୍କ ସମେତ ୧୩ ନେତାଙ୍କୁ ସମନ୍ବୟ କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଆବହକଙ୍କ ନେଇ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ। ତେବେ ଇଣ୍ଡିଆର ଏକ ନୂତନ ଲୋଗୋ ଶନିବାର ଲଞ୍ଚ ହେବ ନାହିଁ ।

ବୈଠକରେ ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ସିଟ ବଣ୍ଟନ ସୂତ୍ର ଉପରେ ଆଲୋଚନା କରାଯାଇଛି। ବାସ୍ତବରେ ମୋଦି ସରକାର ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। କୁହାଯାଉଛି ଏକ ଦେଶ ଏକ ନିର୍ବାଚନ ନେଇ ଏକ ବିଲ ହୋଇପାରେ।

ଏହି ବୈଠକରେ ବିରୋଧୀ ଦଳ ନିଷ୍ପତ୍ତି ନେଇଛନ୍ତି ଆସନ୍ତା ଲୋକସଭା ନିର୍ବାଚନରେ ଯଥାସମ୍ଭବ ଏକାଠି ହେବେ। ବିଭିନ୍ନ ରାଜ୍ୟରେ ଆସନ ବଣ୍ଟନ ସମ୍ପର୍କରେ ଆଲୋଚନା ଶୀଘ୍ର ଆରମ୍ଭ ହେବ ଏବଂ ଏହା ଏକ ସହଯୋଗୀ ମନୋଭାବରେ ଯଥାଶୀଘ୍ର ଶେଷ ହେବ। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ବିରୋଧୀ ଦଳମାନେ ଦେଶର ବିଭିନ୍ନ ସ୍ଥାନରେ ଯଥାଶୀଘ୍ର ଜନସମାବେଶ କରିବେ।

ଇଣ୍ଢିଆ ମିଳିତ ମଞ୍ଚର ନେତାମାନେ ନିଜ ନିଜ ଯୋଗାଯୋଗ ଏବଂ ମିଡିଆ ରଣନୀତି ଏବଂ ବିଭିନ୍ନ ଭାଷାରେ ଅଭିଯାନକୁ ଏକଜୁଟ ହେବ ଭାରତ, ଜିତିବ ଇଣ୍ଡିଆ’ ଥିମ ସହିତ ସମନ୍ବୟ କରିବାକୁ ନିଷ୍ପତ୍ତି ନେଇଥିଲେ। ବିରୋଧୀ ଦଳର ବୈଠକରେ ୧୩ ଜଣ ସଦସ୍ୟଙ୍କ ଏକ ସମନ୍ବୟ କମିଟି ଗଠନ କରାଯାଇଛି। ଏଥିରେ କଂଗ୍ରେସରୁ କେ.ସି ଭେନୁଗୋପାଲ, ଏନସିପିରୁ ଶରଦ ପାୱାର, ଡିଏମକେରୁ ଏମ.କେ ଷ୍ଟାଲିନ, ଶିବସେନାରୁ ସଞ୍ଜୟ ରାଉତ, ଆରଜେଡିରୁ ତେଜସ୍ବୀ ଯାଦବ, ଟିଏମସିରୁ ଅଭିଷେକ ବାନାର୍ଜୀ, ଏ.ପି.ରୁ ରାଘବ ଚଢ଼ା, ଏସପିରୁ ଜାଭେଦ ଖାନ, ଜେଡିୟୁରୁ ଲଲନ ସିଂ, ଜେଏମଏମରୁ ହେମନ୍ତ ସୋରେନ, ଡି ରାଜା, ଏନସିର ଓମାର ଅବଦୁଲ୍ଲା ଏବଂ ପିଡିପିର ମେହବୁବା ମୁଫତି ପ୍ରମୁଖ ଅଛନ୍ତି।

 

Share