ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୨୫,୧୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରି ଯାଇଛି । ଏମାନଙ୍କ ମଧ୍ୟରୁ ୧,୪୫,୧୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୫,୫୦,୭୧୨ଜଣ ସୁସ୍ଥ ହୋଇଛନ୍ତି ଓ ୩,୦୮,୭୫୧ଜଣଙ୍କର ଚିକିତ୍ସା ଚାଲିଛି । ଏବେବି ଦେଶରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବାକୁ ବାରମ୍ବାର ସଚେତନ କରାଯାଉଛି । କରୋନାର ପ୍ରଭାବ ସବୁଠାରୁ ଅଧିକ ମହାରାଷ୍ଟ୍ରରେ ଦେଖାଯାଇଛି । ଏଠାରେ ଏବେସୁଦ୍ଧା କରୋନାରେ ୪୮,୪୯୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାସହ କର୍ନାଟକରେ ୧୧,୯୮୧, ତାମିଲନାଡୁରେ ୧୧,୯୪୨ ଓ ରାଜଧାନୀ ଦିଲ୍ଲୀରେ ୧୦,୧୮୨ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି ।