ନୂଆଦିଲ୍ଲୀ,୧୧ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ଆଜି ଗୋଟିଏ ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି । ଏଲିଜାବେଥ ଦ୍ୱିତୀୟଙ୍କ ସ୍ମୃତି ଓ ତାଙ୍କର ସମ୍ମାନରେ ସମ୍ପୂର୍ଣ୍ଣ ଦେଶରେ ଗୋଟିଏ ଦିନ ରାଜକୀୟ ଶୋକ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୮ ଗୁରୁବାର ମହାରାଣୀଙ୍କ ପରଲୋକ ହୋଇଥିଲା । ମହାରାଣୀଙ୍କ ସମ୍ମାନରେ ଆଜି ଭାରତରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଏହାସହ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମର ବି ଆୟୋଜନ କରାଯିବ ନାହିଁ । ସୂଚନାଯୋଗ୍ୟ, ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଗୁରୁବାର ପରଲୋକ ହେବା ପରେ ତାଙ୍କ ସମ୍ମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦିପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଥିଲେ ।