ରୁଷିଆକୁ ଶସ୍ତାରେ ତୈଳ ଦେବାକୁ ଦାବି କଲା ଭାରତ

ନୂଆଦିଲ୍ଲୀ/ମସ୍କୋ,୫।୫: ଗତ ୨ମାସ ହେଲାଣି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣ ଯୋଗୁ ସମସ୍ତ ପଶ୍ଚିମ ଦେଶ ରୁଷିଆକୁ ବିରୋଧ କରିବା ସହ ଅନେକ ଆର୍ଥିକ ଓ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ପ୍ରତିଜବାବରେ ରୁଷିଆ ମଧ୍ୟ ଅନେକ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଯେପରିକି ଅଶୋଧିତ ତୈଳର ଦାମ୍‌ ବୃଦ୍ଧି କରିଛି ରୁଷିଆ। ଫଳରେ ସାରା ବିଶ୍ୱରେ ଅଶୋଧିତ ତୈଳର ଅଭାବ ଦେଖାଦେଇଛି। ଇତିମଧ୍ୟରେ ଭାରତ ତୈଳ କିଣିବା ଉପରେ ଆହୁରି ରିହାତି ଦେବା ପାଇଁ ରୁଷିଆକୁ ଦାବି କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଭାରତ ରୁଷିଆଠାରୁ ବ୍ୟାରେଲ ପ୍ରତି ୭୦ଡଲାରରୁ ବି କମ୍‌ ମୂଲ୍ୟରେ ଅଶୋଧିତ ତୈଳ କିଣିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରାୟ ବ୍ୟାରେଲ ପ୍ରତି ୧୧୦ ଡଲାର ରହିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଅଶୋଧିତ ତୈଳ କ୍ରୟରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ପୂରଣ କରିବାକୁ ରିହାତି ପାଇଁ ଦାବି କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ।

Share