ଚେନ୍ନାଇ, ୪ା୮ (ପି.ଟି.)-ମାଲେସିଆର କୁଆଲାଲମ୍ପୁରରେ ଡିସେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ ହେବାକୁଥିବା ମହିଳା ବିଶ୍ୱ ଟିମ୍ ସ୍କ୍ବାଶ ଚାମ୍ପିୟନଶିପ୍ରୁ ଭାରତ ଓହରିଯାଇଛି। କୋଭିଡ୍-୧୯ ମହାମାରୀ ଯୋଗୁ ଗସ୍ତ କଟକଣା ନେଇ ଅନିଶ୍ଚିତତା ଏବଂ ପ୍ରସ୍ତୁତି ପାଇଁ ସମୟ ଅଭାବରୁ ଏହି ନିଷ୍ପତ୍ତି ନିଆଯାଇଛି। ଦେଶର ଟପ୍ ଖେଳାଳିମାନଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସ୍କ୍ବାଶ ରାକେଟ ଫେଡେରେଶନ ଅଫ୍ ଇଣ୍ଡିଆ(ଏସ୍ଆର୍ଏଫ୍ଆଇ)ର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜାତୀୟ କୋଚ୍ ସାଇରସ୍ ପୋଞ୍ଚା ପ୍ରକାଶ କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଲାଗି ଆମ ଆଥଲେଟ୍ ଷ୍ଟାଫ୍ଙ୍କ ସୁରକ୍ଷିତ ଯାତ୍ରା ପାଇଁ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଗାଇଡ୍ ଲାଇନ ଆମର ହସ୍ତଗତ ହୋଇନାହିଁ। ପୁନଶ୍ଚ ବିନା ପ୍ରସ୍ତୁତିରେ କୌଣସି ଟୁର୍ନାମେଣ୍ଟରେ ଭାଗ ନେବା ଉଚିତ ହେବ ନାହିଁ ବୋଲି ସେ କହିଛନ୍ତି।