ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌ କୋଟି କୋଟି ଟଙ୍କାର ଅଟେ। କିପରି ଲୋକମାନେ କେବଳ କେଶ ବିକ୍ରୟ କରି ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରୁଛନ୍ତି ଏବଂ କେଉଁ ସ୍ଥାନରେ ଏହି କେଶଗୁଡିକ ବ୍ୟବହାର କରାଯାଉଛି ଆସନ୍ତୁ ଜାଣିବା।

କେଶ ମହିଳା ଏବଂ ପୁରୁଷଙ୍କ ସୌନ୍ଦର୍ଯ୍ୟର ପ୍ରତୀକ ଅଟେ। କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱରେ ସର୍ବାଧିକ ପରିମାଣର କେଶ ରପ୍ତାନି ଭାରତରୁ କରାଯାଏ। ବିଶ୍ୱ ବଜାରରେ ଭାରତୀୟ କେଶର ଚାହିଦା ଅଧିକ। କେବଳ ଏତିକି ନୁହେଁ, ଆମ ଦେଶ ହେଉଛି ବିଶ୍ୱର ସବୁଠାରୁ ବଡ କେଶ ରପ୍ତାନୀକାରୀ। ଏହାର କାରଣ ହେଉଛି ଭାରତର ଲୋକମାନଙ୍କର କେଶ ପତଳା ଏବଂ ଅନ୍ୟାନ୍ୟ ଦେଶର ଲୋକମାନଙ୍କର କେଶ ମୋଟା।

ଭାରତରେ କେଶ ବ୍ୟବସାୟ କୋଟି କୋଟି ଟଙ୍କାର ଅଟେ। ସାରା ବିଶ୍ୱର ଲୋକମାନେ ଭାରତୀୟ ମହିଳାଙ୍କ କେଶକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି। ତେଣୁ ସବୁଠି ଏହାର ଚାହିଦା ଅଧିକ। ଭାରତୀୟଙ୍କ କେଶ ଚୀନ, ମାଲେସିଆ, ଥାଇଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ବର୍ମାକୁ ପଠାଯାଏ । ଭାରତର ମନ୍ଦିରଗୁଡିକୁ ଦାନ କରାଯାଇଥିବା କେଶ ମଧ୍ୟ ବିଶ୍ୱର କୋଣ ଅନୁକୋଣକୁ ରପ୍ତାନି ହୁଏ। କେଶ ବ୍ୟବସାୟରେ, କେଶର ଏକ ବଡ଼ ଅଂଶ ମନ୍ଦିରରୁ ଆସିଥାଏ। ଏହା ବ୍ୟତୀତ, ମହିଳାମାନଙ୍କର ସାଧାରଣ ନିତ୍ୟକର୍ମରେ, ମୁଣ୍ଡରୁ ଉପୁଡି ଯାଉଥିବା କେଶ କିମ୍ବା ସେଲୁନରେ କାଟି ଦିଆଯାଇଥିବା କେଶ ମଧ୍ୟ ବିକ୍ରୟ ପାଇଁ ବ୍ୟବହୃତ ହୁଏ।

ସେହିପରି ସାରା ବିଶ୍ୱରେ ୱିଗ୍‌ଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଉଛି । କ୍ୟାନସର ରୋଗୀଙ୍କ ପାଇଁ ଏହା ସବୁଠୁ ଦରକାର ପଡୁଛି। ସାରା ବିଶ୍ୱରେ ଭାରତୀୟ କେଶର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଭାରତ ବିଶ୍ୱରେ ମାନବ କେଶର ପ୍ରମୁଖ ଯୋଗାଣକାରୀ ହୋଇପାରିଛି। ସୂଚନାନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତ କେଶ ବିକ୍ରି କରି ୨,୬୫୦ କୋଟିରୁ ଅଧିକ ଆୟ କରିଛି। ଗତ ବର୍ଷ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଭାରତ ସରକାର ଏହି ସୂଚନା ଦେଇଛନ୍ତି।

ଭାରତରେ ଅଧିକାଂଶ କେଶ ମନ୍ଦିରଗୁଡିକରୁ ରପ୍ତାନୀ କରାଯାଏ। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ତିରୁପତି ବାଲାଜୀ ମନ୍ଦିରରେ ଅଧିକ କେଶ ଆମଦାନୀ କରାଯାଏ। ତିରୁପତିରେ କେଶ ଦାନ କରିବା ପରେ ତାହା କେଶ ବଜାରରେ ପହଞ୍ଚେ। ଏହି ଦାନ ହୋଇଥିବା କେଶକୁ ତିରୁମାଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ ଦ୍ୱାରା ନିଲାମ କରାଯାଏ।

Share