Categories: ଜାତୀୟ

ଦିଲ୍ଲୀ ମନ୍ତ୍ରୀ ଗେହଲଟଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବାର ସପ୍ତାହେ ପରେ ଦିଲ୍ଲୀ ମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା କୈଳାସ ଗେହଲଟଙ୍କୁ ଶନିବାର ୫ ଘଣ୍ଟାରୁ ଊର୍ଦ୍ଧ୍ୱ ଜେରା କରିଛି। ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲା ନେଇ ଇଡି ଅଧିକାରୀମାନେ ଗେହଲଟ୍‌ଙ୍କୁ ପ୍ରଶ୍ନ କରିଥିଲେ। ଦିଲ୍ଲୀ ସରକାରରେ ଗେହଲଟ ଗୃହ, ପରିବହନ ଓ ଆଇନ ମନ୍ତ୍ରୀ ଅଛନ୍ତି। ଇଡି ସମନ କଲେ ସେ ପୁନର୍ବାର ଜେରା ପାଇଁ ହାଜର ହେବେ ବୋଲି କହିଛନ୍ତି। ବର୍ତ୍ତମାନ ରଦ୍ଦ ହୋଇଥିବା ଦିଲ୍ଲୀ ସରକାରଙ୍କ ୨୦୨୧-୨୨ ଅବକାରୀ ନୀତି ଖୁଚୁରା ବ୍ୟବସାୟୀମାନଙ୍କୁ ପାଖାପାଖି ୧୮୫ ପ୍ରତିଶତ ଲାଭ ଦେଉଥିବାବେଳେ ପାଇକାରୀ ବ୍ୟବସାୟୀଙ୍କୁ ୧୨ ପ୍ରତିଶତ ଲାଭ ଦେଉଥିଲା ବୋଲି ଇଡି କହିଛି। ପାଇକାରୀ ବ୍ୟବସାୟୀଙ୍କୁ ମିଳୁଥିବା ଲାଭରୁ ୬ ପ୍ରତିଶତ ବା ୬୦୦ କୋଟିରୁ ଊର୍ଦ୍ଧ୍ୱ ଲାଞ୍ଚ କାରବାର ହୋଇଥିଲା, ଯାହା ଗୋଆ ଓ ପଞ୍ଜାବ ନିର୍ବାଚନ ପ୍ରଚାରରେ ବ୍ୟବହାର କରାଯାଇଥିଲା ବୋଲି ଇଡି ଅଭିଯୋଗ କରିଛି। ଉକ୍ତ ଅର୍ଥରୁ ଆପ୍‌ ଓ ଏହାର ନେତାମାନଙ୍କ ପାଖକୁ ୧୦୦ କୋଟି ଟଙ୍କା ଯାଇଥିଲା। ଗେହଲଟ ଗୋଟିଏ ସିମ୍‌ ନମ୍ବର ବ୍ୟବହାର କରୁଥିବାବେଳେ ସେ ତାଙ୍କର ଅନ୍ତର୍ଜାତୀୟ ମୋବାଇଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି (ଆଇଏମ୍‌ଇଆଇ)କୁ ୩ ଥର ବଦଳାଇଥିବା ଇଡି ଅଭିଯୋଗ କରିଛି। ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ କେଜ୍‌ରିଓ୍ବାଲଙ୍କ ସମେତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଆପ୍‌ ଏମ୍‌ପି ସଞ୍ଜୟ ସିଂ ଜେଲରେ ଅଛନ୍ତି।

Share