ଭାରତ-ଇଜିପ୍ଟ ସମ୍ପର୍କ ‘ରଣନୀତିକ ସହଭାଗିତା’ରେ ପରିଣତ

କାଇରୋ, ୨୬ା୬(ପି.ଟି.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଇଜିପ୍ଟ ଗସ୍ତରେ ଯାଇ ରବିବାର ରାଷ୍ଟ୍ରପତି ଅବଦେଲ, ଫତହ ଏଲ୍‌-ସିସିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆଲୋଚନାରେ ରାଜନୈତିକ ଓ ସୁରକ୍ଷା ସହଯୋଗ ବଢ଼ାଇକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା। ଉଭୟ ନେତାଙ୍କ ମଧ୍ୟରେ ବୈଠକ ପରେ ଭାରତ-ଇଜିପ୍ଟ ସମ୍ପର୍କ ‘ରଣନୀତିକ ସହଭାଗିତା’କୁ ଉନ୍ନୀତ ହୋଇଛି। ୨୬ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଇଜିପ୍ଟକୁ ଦ୍ୱିପାକ୍ଷିକ ଗସ୍ତରେ ଯାଇଥିଲେ। ଏହି ଅବସରରେ ମୋଦି ଏବଂ ସିସିଙ୍କ ମଧ୍ୟରେ ରାଜନୈତିକ, ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗ ବଢ଼ାଇବା ସମେତ ବାଣିଜ୍ୟ, ନିଯୁକ୍ତି ସମ୍ପର୍କ ବୃଦ୍ଧି ଏବଂ ବିଜ୍ଞାନ ଓ ଶିକ୍ଷା ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ନେଇ ଆଲୋଚନା ପରେ ରଣନୀତିକ ସହଭାଗିତା ଦସ୍ତାବିଜରେ ଉଭୟେ ସ୍ବାକ୍ଷର କରିଛନ୍ତି। ଏହା ବ୍ୟତୀତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, କୀର୍ତ୍ତିରାଜି ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳର ସୁରକ୍ଷା ଏବଂ ସଂରକ୍ଷଣ ତଥା ପ୍ରତିଯୋଗିତା ଆଇନକୁ ନେଇ ୩ଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ବହିର୍ବ୍ୟାପାର ସଚିବ ବିନୟ କ୍ୱାଟ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ କାଇରୋରେ ପହଞ୍ଚତ୍ବା ପରେ ତାଙ୍କ ଇଜିପ୍ଟ ପ୍ରତିପକ୍ଷ ମୁସ୍ତାଫା ମାଡବୁଲିଙ୍କ ସହ ଆଲୋଚନା କରିଥିଲେ।

Share