Categories: ଜାତୀୟ

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ) ଲୋକ ସଭା ନିର୍ବାଚନକୁ ବହିଷ୍କାର କରିବାକୁ ଆହ୍ବାନ ଦେଇଛିା ଏହାକୁ ନେଇ ରାଜ୍ୟର ୬ ଜିଲାରେ ପ୍ରାୟ ଶୂନ ଭୋଟ୍‌ଗ୍ରହଣ ରେକର୍ଡ କରାଯାଇଛିା
ତେବେ ଇଏନ୍‌ପିଓର ଏଭଳି ପଦକ୍ଷେପ ଯୋଗୁ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଗଠନକୁ ନୋଟିସ୍‌ ଜାରି କରିଛନ୍ତି। ନୋଟିସ୍‌ରେ କୁହାଯାଇଛି ଯେ, ପୂର୍ବ ନାଗାଲାଣ୍ଡ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ବତନ୍ତ୍ର ଭାବେ ଭୋଟ ଦେବାର ଅଧିକାରରେ ହସ୍ତକ୍ଷେପ କରି ଇନ୍‌ପିଓ ଅଯଥା ପ୍ରଭାବ ପ୍ରକାଇବାକୁ ଚେଷ୍ଟା କରିଛି। ଏଣୁ ଭାରତୀୟ ଦଣ୍ଡ ସଂହିତା ଧାରା ୧୭୧ ସି ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି ନାହିଁ ତାହା କହିବାକୁ ସଂଗଠନକୁ ନିର୍ଦ୍ଦେଶ ଦିଆଯାଇଛି।
ଅପରପକ୍ଷେ ଇଏନ୍‌ପିଓ ପ୍ରତିକ୍ରିୟାରେ କହିଛି ଯେ, ପୂର୍ବ ନାଗାଲାଣ୍ଡ ଅଞ୍ଚଳରେ ଅଶାନ୍ତିର ସମ୍ଭାବନାକୁ ହ୍ରାସ କରିବା ହେଉଛି ସର୍ବସାଧାରଣ ବିଜ୍ଞପ୍ତିର ମୂଳ ଉଦ୍ଦେଶ୍ୟ। ଏପରିକି ପୂର୍ବ ନାଗାଲାଣ୍ଡ ବର୍ତ୍ତମାନ ସାଧାରଣ ଜରୁରିକାଳୀନ ପରିସ୍ଥିତିରେ ଅଛି। ହିିତାଧିକାରୀଙ୍କ ସହ ପରାମର୍ଶ ପରେ ଏହି ଘୋଷଣା କରାଯାଇଛି।
ପୂର୍ବରୁ ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଇଏନ୍‌ପିଓ ମତଦାନରୁ ନିବୃତ୍ତ ରହିବାକୁ ଆହ୍ବାନ ଦେଇଥିଲା, କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଶ୍ୱାସନା ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।
କହିରଖୁଛୁ, ନାଗାଲାଣ୍ଡରେ ଗୋଟିଏ ଲୋକ ସଭା ଆସନ ଅଛି, ଯାହା ୨୦୧୮ ଉପ ନିର୍ବାଚନ ପରଠାରୁ ନାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରଗତିଶୀଳ ପାର୍ଟି(ଏନ୍‌ଡିପିପି)ର ଟୋଖେହୋ ୟେପଥୋମିଙ୍କ ପାଖରେ ଅଛି। ଏନ୍‌ଡିପିପି ହେଉଛି ଭାଜପାର ସହଯୋଗୀ ଦଳ।

Share