Categories: ଖେଳ

ଭାରତ-ଇଂଲଣ୍ଡ ଫାଇନାଲ ଆଜି

ପୋଶ୍ଚେଫଷ୍ଟ୍ରୁମ୍‌, ୨୯ା୧: ଚଳିତ ୧୯ ବର୍ଷରୁ କମ୍‌ ମହିଳା ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଟାଇଟଲ ଜିତି ଇତିହାସ ସୃଷ୍ଟିକରିବା ଲାଗି ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମାଙ୍କ ପାଇଁ ଏହା ଏକ ସୁଯୋଗ। ଭାରତୀୟ ମହିଳା କ୍ରିକେଟ ଦଳ ଏପର୍ଯ୍ୟନ୍ତ କୌଣସି ସ୍ତରରେ ଏକ ବିଶ୍ୱକପ୍‌ ଜିତିପାରି ନାହିଁ। ଶେଫାଳି ସିନିୟର ଦଳ ସହ ଦୁଇଟି ବିଶ୍ୱକପ୍‌ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲ ଖେଳିଛନ୍ତି। ଦେଶକୁ ସେ ଟାଇଟଲ ସହ ଫେରିବା ଲକ୍ଷ୍ୟରେ ଥିଲେ। ସିନିୟର ଦଳ ସମସ୍ତ ଫର୍ମାଟରେ ଏ ପର୍ଯ୍ୟନ୍ତ ୩ଥର ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ଦୁଃଖଦ ଅନୁଭୂତି ନେଇ ଫେରିଛନ୍ତି। ସେମାନେ ୨୦୦୫ ଦିନିକିଆ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆଠାରୁ ୯୮ରନରେ ଏବଂ ୨୦୧୭ରେ ଇଂଲଣ୍ଡ ନିକଟରୁ ୯ ରନରେ ପରାଜିତ ହୋଇଛନ୍ତି। ପୁନଶ୍ଚ ଟି୨୦ରେ ସେମାନେ ୨୦୨୦ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୮୫ ରନରେ ହାରିଛନ୍ତି। ଶେଫାଳି ଏଥର ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଟୁର୍ନାମେଣ୍ଟର ସୁପର ସିକ୍ସ ଲିଗ୍‌ ପର୍ଯ୍ୟାୟରେ ଭାରତ କେବଳ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଛି। ତେବେ ଦଳ ଅଷ୍ଟ୍ରେଲିଆକୁ ମାତ୍ର ୮୭ ରନରେ ଅଲଆଉଟ କରିଦେଇଥିଲା। ଅନ୍ୟପକ୍ଷରେ ଭାରତର ଫାଇନାଲ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଶକ୍ତିଶାଳୀ ମନେ ହେଉଛି। ସୁପର ସିକ୍ସ ଗ୍ରୁପ୍‌ ପର୍ଯ୍ୟାୟରେ ଦଳ ଏହାର ସମସ୍ତ ମ୍ୟାଚରେ ବିଜୟ ଲାଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ସେମାନେ ୧୯.୫ ଓଭରରେ ୯୯ରନ କରି ଅଲଆଉଟ ହୋଇଯାଇଥିଲେ। ମାତ୍ର ଇଂଲଣ୍ଡ ପରେ ଅଷ୍ଟ୍ରେଲିଆକୁ ୧୮.୪ ଓଭରରେ ୯୬ ରନ ସ୍କୋରରେ ଅଲଆଉଟ କରିଦେଇଥିଲା।

Share