ଭାରତ-ଇଂଲଣ୍ଡ ମ୍ୟାଚ୍‌: ବର୍ଷା ହେଲେ କିଏ ଖେଳିବ ଫାଇନାଲ୍‌ ?

ନୂଆଦିଲ୍ଲୀ, ୨୬।୦୬: ଟି-୨୦ ବିଶ଼୍ବକପ୍‌ରେ ଜୁନ୍‌ ୨୭ ଅର୍ଥାତ୍‌ ଗୁରୁବାର ଗୁଏନାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ରୋହିତଙ୍କ ଅଧିନାୟକତ଼୍ବରେ ଭାରତ ପଡ଼ିଆକୁ ଓହ୍ଲାଇବା ସହିତ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍‌ ଖେଳିବାକୁ ଆଶା ରଖିଛି ଦଳ । ଭାରତୀୟ ଟିମ୍‌ ପ୍ରଥମେ ଗ୍ରୁପ୍‌ ଷ୍ଟେଜ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ସୁପର ୮ରେ ପହଞ୍ଚିଥିବା ବେଳେ ସୁପର ୮ରେ ମଧ୍ୟ ଅପରାଜେୟ ରହିଛି । ସୁପର ୮ର ଗ୍ରୁପ୍‌ ୧ରେ ଥିବା ଟିମ୍‌ ଇଣ୍ଡିଆ ୩ଟି ଯାକ ମ୍ୟାଚ୍‌ ଜିିତି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା । ଅନ୍ୟପଟେ ଇଂଲଣ୍ଡ ଗ୍ରୁପ୍‌ ଷ୍ଟେଜ୍‌ରୁ ସୁପର ୮ରେ ପହଞ୍ଚିବା ପାଇଁ ଅନ୍ୟ ଟିମ୍‌ ଉପରେ ନିର୍ଭର କରିଥିଲା । ସୁପର ୮ରେ ୨ଟି ମ୍ୟାଚ୍‌ ଜିତି ପ୍ରଥମ ଟିମ୍‌ ଭାବେ ସେମିଫାଇନାଲ୍‌କୁ ପ୍ରବେଶ କରିଥିଲା ଦଳ ।

ତେବେ ଇଂଲଣ୍ଡ ଠାରୁ ଭାରତ ଦୁଇ ବର୍ଷ ତଳର ପ୍ରତିଶୋଧ ନେବ ବୋଲି କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କିନ୍ତୁ ମ୍ୟାଚ୍‌ ମଝିରେ ବର୍ଷା ସମ୍ଭାବନା ରହିଥିବାରୁ ଏହି ଆଶା ପାଣିଫଟକି ପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ପାଣିପାଗ ବିଭାଗର ଅନୁମାନ ଅନୁସାରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍‌ ପୂର୍ବରୁ ବର୍ଷା ସମ୍ଭାବନା ରହିଛି । ଏହାଛଡ଼ା ମ୍ୟାଚ୍‌ ସମୟରେ ଆକଶରେ ବାଦଲ୍‌ ଛାଇ ହୋଇ ରହିପାରେ । ସ୍ଥାନୀୟ ସମୟ ଅନୁସାରେ ଏହି ମୁକାବିଲା ସକାଳ ୧୦ଟାରୁ ଆରମ୍ଭ ହେବ । ଅନ୍ୟପଟେ ଯଦି ବର୍ଷା ହୁଏ ତେବେ ରିଜର୍ଭ ଡେ ମଧ୍ୟ ରଖାଯାଇନାହିଁ । ଯଦି ସମସ୍ତ ପ୍ରୟାସ ପରେ ମଧ୍ୟ ମ୍ୟାଚ୍‌ ବାତିଲ୍‌ ହେଉଛି ତେବେ ଏହାର ଫାଇଦା ଭାରତକୁ ହେବ । ଭାରତ ସିଧାସଳଖ ଫାଇନାଲ୍‌ ମ୍ୟାଚ୍‌ ଖେଳିବ । କାରଣ ସୁପର ୮ରେ ଗ୍ରୁପ୍‌ ୧ରେ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗ୍ରୁପ୍‌୨ରେ ଇଂଲଣ୍ଡ ଦ଼୍ବିତୀୟ ସ୍ଥାନରେ ରହିଥିଲା । ଆଇସିସିର ନିୟମ ଅନୁସାରେ ଯଦି ସେମିଫାଇନାଲ୍‌ ବାତିଲ୍‌ ଘୋଷଣା ହୁଏ ତହା ହେଲେ ସୁପର ୮ର ଶୀର୍ଷରେ ଥିବା ଟିମ୍‌ ସିଧା ଫାଇନାଲ୍‌ ଖେଳିବ ।

Share