ନୂଆଦିଲ୍ଲୀ, ୧୫।୭- ମହାମାରୀ କରୋନା ଭାଇରସ୍ ଲାଗି ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ସୀମିତ ଓଭର ବିଶିଷ୍ଟ ସିରିଜ ବାତିଲ ହୋଇପାରେ। ସେହିଭଳି ଆସନ୍ତା ମାସରେ ନ୍ୟୁଜିଲାଣ୍ଡ-ଏ ଦଳ ମଧ୍ୟ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଥିଲା। ଏହାକୁ ମଧ୍ୟ ବାତିଲ କରାଯିବା ନିଶ୍ଚିତ ହୋଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେବଳ ଏହି ଦୁଇ ସିରିଜ ବାତିଲ ନେଇ ଔପଚାରିକ ଘୋଷଣା କରିବା ବାକି ରହିଛି। ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ‘ସେପ୍ଟେମ୍ବରରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୬ ମ୍ୟାଚ୍ (୩ ଦିନିକିଆ ଓ ୩ ଟି୨୦) ଖେଳିବାର କାର୍ଯ୍ୟସୂଚୀ ଥିଲା। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଇଂଲଣ୍ଡ ଦଳ ନିଶ୍ଚିତ ଭାବେ ଏହି ଗସ୍ତରେ ଆସିପାରିବ ନାହିଁ। ସେହିଭଳି ନ୍ୟୁଜିଲାଣ୍ଡ-ଏ ଦଳ ଅଗଷ୍ଟରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ସିରିଜ ମଧ୍ୟ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତୀୟ ଦଳର ଆଗାମୀ କାର୍ଯ୍ୟସୂଚୀକୁ ନେଇ ଶୁକ୍ରବାର ବୈଠକ ବସିବାର ରହିଛି। ଏଥିରେ ଏହା ସ୍ପଷ୍ଟ ହୋଇଯିବ।’ କେତେକ ବ୍ରିଟିଶ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି ଯେ ଏହି ସିରିଜ ଖେଳିବା ଲାଗି ଇଂଲଣ୍ଡ ଦଳ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବ।