ଅହମଦାବାଦ,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୋଲିଂ ଯାଦୁରେ ଇଂଲଣ୍ଡ ୧୧୨ ରନ ରେ ଅଲଆଉଟ୍ ହୋଇଛି। ପରେ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ ଏକ ଦୃଢ ସ୍ଥାନ ହାସଲ କରିଛି। ଏହି ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ଅକ୍ଷର ପଟେଲ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ୩୮ ରନ ନେଇ ୬ଟି ଉଇକେଟ ନେଇଥିବାବେଳେ ଅଶ୍ୱିନ ୨୬ ରନ ପାଇଁ ୩ଟି ଉଇକେଟ ନେଇଥିଲେ। ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳୁଥିବା ଇଶାନ୍ତ ଶର୍ମାଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଭାରତ ୩ ଉଇକେଟ ହରାଇ ୯୯ ରନ ସଂଗ୍ରହ କରି ଏବେ ଇଂଲଣ୍ଡଠାରୁ ମାତ୍ର ୧୩ ରନ ପଛରେ ଅଛି। ମୋଟେରା ଟେଷ୍ଟରେ ପ୍ରଥମ ଦିନରେ ମୋଟ ୧୩ ଇଇକେଟ ପତନ ଘଟିଥିଲା। ଏଥିରେ ସ୍ପିନରମାନେ ୧୧ ଉଇକେଟ ନେଇଥିଲେ। ସାଧାରଣତଃ ଦିବାରାତ୍ର ଟେଷ୍ଟରେ ପେସ୍ ବୋଲର୍ ପ୍ରାଧାନ୍ୟ ବିସ୍ତାର କରିଥିବା ଦେଖାଯାଏ। ପୂର୍ବ ୧୫ ଦିବାରାତ୍ର ଟେଷ୍ଟ ମ୍ୟାଚରେ ସ୍ପିନରମାନେ ମାତ୍ର ୧୨ ଉଇକେଟ ପାଇଥିଲେ।