ନେପାଳ ପାଇଁ ବନ୍ଧୁତ୍ୱର ହାତ ବଢାଇଲା ଭାରତ, ପଠାଇଲା ୧୦ କୋଟି ଟଙ୍କାର ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ/କାଠମାଣ୍ଡୁ,୫।୧୧: ଶୁକ୍ରବାର ନେପାଳରେ ଘଟିଥିବା ବଡ଼ ଧରଣର ଭୂକମ୍ପ ବିନାଶର କାରଣ ହୋଇଛି। ପଶ୍ଚିମ ନେପାଳରେ ହୋଇଥିବା ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୧୫୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ବହୁ ସଂଖ୍ୟକ ଲୋକ ବାସିହୀନ ହୋଇଗଲେ ଏବଂ ଏବେ ସେଠାରେ ଖାଦ୍ୟ, ଔଷଧ ଇତ୍ୟାଦି ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ନେପାଳକୁ ସାହାଯ୍ୟ କରିବା ପାଇଁ ରବିବାର ନେପାଳଗୁଞ୍ଜରେ ପହଞ୍ଚିଥିବା ଭାରତୀୟ ବାୟୁସେନା ମାଧ୍ୟମରେ ଭାରତ ଦ୍ୱାରା ରିଲିଫ ସାମଗ୍ରୀର ପ୍ରଥମ ପରିବହନ ପଠାଯାଇଛି।

କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ସି-୧୩୦ ବିମାନ ମାଧ୍ୟମରେ ନେପାଳକୁ ଭାରତ ପଠାଇଥିବା ୧୦କୋଟି ଟଙ୍କା ମୂଲ୍ୟର ଜରୁରୀକାଳୀନ ରିଲିଫ ସାମଗ୍ରୀର ପ୍ରଥମ ପରିବହନ ସାମଗ୍ରୀ ଗ୍ରହଣ କରାଯାଇଛି। ଏଥିରେ ଟେଣ୍ଟ, କମ୍ବଳ, ଟାରପଲିନ ସିଟ, ବେଡସିଟ, ଶୋଇବା ବ୍ୟାଗ ତଥା ଅତ୍ୟାବଶ୍ୟକ ଔଷଧ, ପୋର୍ଟେବଲ ଭେଣ୍ଟିଲେଟର ଏବଂ ଚିକିତ୍ସା ଉପକରଣ ଇତ୍ୟାଦି ଅନ୍ତର୍ଭୁକ୍ତ।
ଦୂତାବାସ ବିବୃତ୍ତିରେ କୁହାଯାଇଛି, ଭାରତୀୟ ବାୟୁସେନା ବିମାନରେ ୧୧ଟନରୁ ଅଧିକ ରିଲିଫ ସାମଗ୍ରୀ ପଠାଯାଇଛି। ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଇବା ପାଇଁ ପ୍ରୟାସ କରାଯାଇଛି।
ଏଥିରେ କୁହାଯାଇଛି ଯେ ଭାରତ ସରକାରଙ୍କ ତରଫରୁ କର୍ଣ୍ଣାଲି ମୁଖ୍ୟମନ୍ତ୍ରୀ ରାଜ କୁମାର ଶର୍ମାଙ୍କ ଉପସ୍ଥିତିରେ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ନେପାଳର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ପୂର୍ଣ୍ଣ ବାହାଦୂର ଖଡକାଙ୍କୁ ରିଲିଫ ସାମଗ୍ରୀ ହସ୍ତାନ୍ତର କରିଛନ୍ତି। ଆଗାମୀ ଦିନରେ ଆହୁରି ରିଲିଫ ସାମଗ୍ରୀ ଭାରତରୁ ଆସିବ ବୋଲି ଆଶା କରାଯାଉଛି।

Share