୩୧ ଅଗଷ୍ଟ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦।୭: କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଉପରେ ଥିବା ପ୍ରତିବନ୍ଧକକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୩୧ ଯାଏ ବିମାନ ଉଡାଣ ସେବା ଉପରେ ଥିବା ପ୍ରତିବନ୍ଧକ ବୃଦ୍ଧି କରାଯାଇଛି। ଏନେଇ ଶୁକ୍ରବାର ଡାଇରେକ୍ଟର ଜେନେରାଲ ଅଫ୍‌ ସିଭିଲ ଆଭିଏସନ୍‌ (ଡିଜିସିଏ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଏହାପୂର୍ବରୁ ମହାମାରୀ କରୋନା ପାଇଁ କେନ୍ଦ୍ର ସରକାର ବିମାନ ସେବା ଉଡାଣ ଉପରେ ଥିବା ପ୍ରତିବନ୍ଧକକୁ ପ୍ରଥମେ ଜୁନ ୩୦ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କିନ୍ତୁ ବର୍ତ୍ତମାନ ଏୟାର ବବଲ୍ସ ଅନୁସାରେ ପୂର୍ବଭଳି ବନ୍ଦେ ଭାରତ ଯୋଜନାରେ ଯାତ୍ରୀଙ୍କ ଗତିବିଧି ଜାରି ରହିବ। କେତେକ ମନୋନୀତ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ଉଡାଣକୁ ଅନୁମତି ଦିଆଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆଗକୁ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏକାଧିକ ଦେଶରେ ଡେଲ୍ଟା ଭାରିଏଣ୍ଟର ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଯାହାଫଳରେ କରୋନାକୁ ରୋକିବାକୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକୋ ଲଗାଇଛନ୍ତି।

 

Share