Categories: ଜାତୀୟ

ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ ଭାରତ

ନୂଆଦିଲ୍ଲୀ,୧୫।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇବାର ନାଁ ଧରୁନି। ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଦୁଇ ଦେଶ ଉଚ୍ଚ ସ୍ତରୀୟ ଆଲୋଚନା କରୁଥିଲେ ମଧ୍ୟ ତାହା ବିଫଳ ରହିଛି। ସେପଟରେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଗୋଟିଏ ପଟେ ଚାଇନା ଏବଂ ଅନ୍ୟ ପଟେ ପାକିସ୍ତାନ ରହିଛି।ଫଳରେ ଭାରତ ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ।
ଚାଇନା ସହ ଜାରି ରହିଥିବା ତିକ୍ତତା ମଧ୍ୟରେ ସରକାର କହିଛନ୍ତି ଯେ, ଗତ ୮ ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଲାଇନ ଅଫ କଣ୍ଟ୍ରୋଲ (ଏଲ୍‌ଓସି) ନିକଟରେ ପାକିସ୍ତାନ ଦ୍ୱାରା ପାଖାପାଖି ୩୧୮୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଜାନୁୟାରୀ ୧ରୁ ଅଗଷ୍ଟ ୩୧ ମଧ୍ୟରେ ସୀମାରେ ୨୪୨ଥର ଗୁଳି ବିନିମୟ ଘଟିଛି। ଅନ୍ୟପକ୍ଷରେ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ୭୦ କିଲୋମିଟର ଲମ୍ବରେ ଭାରତ ଏବଂ ଚାଇନାର ହଜାର ହଜାର ସୈନିକ ମୁହାଁମୁହିଁ ହୋଇଛନ୍ତି। ସେଠାରେ ଏକପ୍ରକାର ଯୁଦ୍ଧ ପରିସ୍ଥିତି ଉପୁଜିଛି।
ପ୍ରକାଶ ଥାଉକି, ପାକିସ୍ତାନ ସେନା ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ସହିତ ଚାଇନା ସେନା ଦ୍ୱାରା ହୋଇଥିବା ଆକ୍ରମଣ ଉଦ୍ୟମ ଭାରତ ପାଇଁ ଦୁଇଟି ଯୁଦ୍ଧର ବିପଦକୁ ବଢାଇ ଦେଇଛି। ଭାରତ ସୀମାରେ ଅନୁପ୍ରବେଶକୁ ନେଇ ଚାଇନା ଏବଂ ଏହାର ବନ୍ଧୁ ପାକିସ୍ତାନ ମଧ୍ୟରେ କିଛି ଆଲୋଚନା ଚାଲିଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କାରଣ ବେଜିଂ ଇସଲାମାବାଦକୁ ଅନେକ ପ୍ରସଙ୍ଗରେ ରକ୍ଷା କରିଛି। ନିକଟରେ ଆତଙ୍କବାଦ ମୁକାବିଲା ପାଇଁ ଚାଇନା ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ରକ୍ଷା କରିଥିଲା।

Share