Categories: ଖେଳ

ଦ୍ୱିତୀୟ ସ୍ଥାନକୁ ଖସିଲା ଭାରତ

ଦୁବାଇ,୨୬ା୭(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ଡ୍ର ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିବା ପରେ ଭାରତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ମଧ୍ୟ ବିଜୟୀ ହେବ ବୋଲି ମନେ ହେଉଥିଲା। ମ୍ୟାଚରେ ବିଜୟ ଲକ୍ଷ୍ୟ ପିଛା କରୁଥିବା ଓ୍ବେଷ୍ଟଇଣ୍ଡିଜ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ଆହୁରି ୨୮୯ ରନ ପଛରେ ରହିଥିଲା। ମାତ୍ର ବର୍ଷା ଯୋଗୁ ୫ମ ଦିବସ ଖେଳ ଆଦୌ ସମ୍ଭବ ହୋଇ ନ ଥିଲା। ଫଳରେ ମ୍ୟାଚ ଡ୍ର’ ଘୋଷଣା କରାଯାଇଥିଲା। ଏହାଦ୍ୱାରା ଭାରତର ବିଜୟ-ପରାଜୟ ପ୍ରତିଶତ ୧୦୦ରୁ ୬୬.୬୭କୁ ହ୍ରାସ ପାଇଛି। ଷ୍ଟାଣ୍ଡିଂରେ ୧୦୦ ପ୍ରତିଶତ ବିଜୟ-ପରାଜୟ ସହ ପାକିସ୍ତାନ ଏକାକୀ ନମ୍ବର ଓ୍ବାନ ସ୍ଥାନରେ ରହିଛି। ପାକିସ୍ତାନ ଗତ ସପ୍ତାହରେ ଗାଲେଠାରେ ଶ୍ରୀଲଙ୍କା ବିପକ୍ଷରେ ୪ ଉଇକେଟରେ ବିଜୟ ହାସଲ କରିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଚାମ୍ପିୟନ ଅଷ୍ଟ୍ରେଲିଆ (୫୪.୧୭) ଓ ଇଂଲଣ୍ଡ (୨୯.୧୭) ବର୍ତ୍ତମାନ ଆଶେସ ସିରିଜ ଖେଳୁଛନ୍ତି। ଉଭୟେ ଷ୍ଟାଣ୍ଡିଂରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ଭାରତ ବିପକ୍ଷରେ ଡ୍ର’ରୁ ଓ୍ବେଷ୍ଟଇଣ୍ଡିଜକୁ ଫାଇଦା ମିଳିଛି। ଦଳର ବିଜୟ-ପରାଜୟ ପ୍ରତିଶତ ୧୬.୬୭କୁ ବୃଦ୍ଧି ପାଇଛି। ଦଳ ୫ମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଶ୍ରୀଲଙ୍କା ଗୋଟିଏ ପରାଜୟ ସହ ୯ମ ସ୍ଥାନରେ ଅଛନ୍ତି।

Share