Categories: ଜାତୀୟ

୨୪ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ବିମାନ କିଣିବା ପାଇଁ ଭାରତ-ଫ୍ରାନ୍ସ୍‌ ଚୁକ୍ତି…

ନୂଆଦିଲ୍ଲୀ,୧୯।୯: ଭାରତୀୟ ବାୟୁସେନାର ଶକ୍ତି ପୁଣି ବୃଦ୍ଧି ପାଇବାକୁ ଯାଉଛି। ଭାରତ ଫ୍ରାନ୍ସ୍‌ଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଏନେଇ ଭାରତ ଫ୍ରାନ୍ସ୍‌ ମଧ୍ୟରେ ଚୁକ୍ତି ହୋଇଛି। ଭାରତୀୟ ବାୟୁସେନା ଏହାର ଚତୁର୍ଥ ପିଢ଼ିର ଯୁଦ୍ଧବିମାନ ସ୍କ୍ବାଡ୍ରନକୁ ସୁଦୃଢ଼ କରିବା ଲାଗି ଫ୍ରାନ୍ସ୍‌ର ଡାସଲ୍ଟ ଆଭିଏସନ ଦ୍ୱାରା ନିର୍ମିତ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବା ଲାଗି ସ୍ଥିର ହୋଇଛି।

ଏହା ସହିତ, ବାୟୁସେନାର ଅନ୍ୟ ଦୁଇଟି ସ୍କ୍ବାଡ୍ରନ ପାଇଁ ଯନ୍ତ୍ରାଶଂ ମଧ୍ୟ କିଣାଯିବ। ଏଥିପାଇଁ ଭାରତୀୟ ବାୟୁସେନା ଫ୍ରାନ୍ସ ବାୟୁସେନାଠାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଉଥିବା ମିରାଜ ବିମାନ କିଣିବା ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଛି।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ବାୟୁସେନା କିଛି ଦିନ ପୂର୍ବରୁ ମିରାଜ ଜେଟର ଏକ ସ୍କ୍ବାଡ୍ରନକୁ ସେବାରୁ ବାହାର କରିଥିଲା। ଏସବୁ ବିମାନ କିଣିବା ପାଇଁ ୩୧ ଅଗଷ୍ଟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତିନାମା ଅନୁଯାୟୀ, ଫ୍ରାନ୍ସ ବାୟୁସେନାରୁ ହଟାଇ ଦିଆଯାଇଥିବା ବିମାନଗୁଡ଼ିକୁ ଭାରତକୁ ଅଣାଯିବ। ଏହା ସହିତ ଭାରତୀୟ ବାୟୁସେନାରେ ଏସବୁ ମିରାଜ ଯୁଦ୍ଧ ବିମାନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯିବ।

ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ୨୭ ନିୟୁତ ୟୁରୋ (୨୩୩.୬୭ କୋଟି ଟଙ୍କା)ର ଚୁକ୍ତିନାମା ସ୍ବାକ୍ଷର କରିଛି। ସେସବୁ ବିମାନ ମଧ୍ୟରୁ ଆଠଟି ଉଡ଼ିବା ଅବସ୍ଥାରେ ଅଛି। ଗୋଟିଏ ବିମାନର ମୂଲ୍ୟ ୧.୧୨୫ ନିୟୁତ ୟୁରୋ ( ୯.୭୩ କୋଟି ଟଙ୍କା) ରହିଛି।

ସୂଚନାଯୋଗ୍ୟ, ୮୦ଦଶକରେ ମିରାଜ-୨୦୦୦ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ସର୍ବଶ୍ରେଷ୍ଠ ଯୁଦ୍ଧ ବିମାନ। ମିରାଜ ନିର୍ମାଣ କରିଥିବା ଡାସଲ୍ଟ ଆଭିଏସନ ରାଫାଲ ଯୁଦ୍ଧ ବିମାନ ମଧ୍ୟ ତିଆରି କରୁଛି। ଭାରତୀୟ ବାୟୁସେନା ବ୍ୟତୀତ ଫ୍ରାନ୍ସ, ୟୁଏଇ ଏବଂ ଚାଇନା ସୈନ୍ୟ ବାହିନୀରେ ମିରାଜ ଯୁଦ୍ଧ ବିମାନ ମଧ୍ୟ ସାମିଲ ହୋଇଛି।

କାରଗିଲ ଯୁଦ୍ଧ ସମୟରେ ମିରାଜ ଏଲଓସି ଅତିକ୍ରମ ନ କରି ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ଧ୍ୱଂସ କରିଥିଲା।

Share