ପାଟନା,୧୮।୯: ଆଜିକାଲି ଦେଶରେ ‘ଏକ ଦେଶ ଏବଂ ଏକ ନିର୍ବାଚନ’ ବିଷୟରେ ଅନେକ ଆଲୋଚନା ହେଉଛି। ଏହା ସହିତ ଏହା ମଧ୍ୟ କୁହାଯାଉଛି ଯେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଅନୁଷ୍ଠିତ ହେବ। ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ, ସେମାନେ (କେନ୍ଦ୍ର) ସମଗ୍ର ଦେଶରେ ଶୀଘ୍ର ନିର୍ବାଚନ କରିବାକୁ ଚାହୁଁଛନ୍ତି ଏବଂ ଆମେ ଅପେକ୍ଷା କରିଛୁ। କାରଣ ସେମାନେ ଯେତେ ଶୀଘ୍ର ନିର୍ବାଚନ କରିବେ ସେତେ ଭଲ। ଏଥିରେ ଆମର କୌଣସି ଅସୁବିଧା ନାହିଁ। ଆମେ ସବୁବେଳେ ପ୍ରସ୍ତୁତ ଅଛୁ। ନିର୍ବାଚନ କରିବାର ଭାରତ ସରକାରଙ୍କର ଅଧିକାର ଅଛି। ତେଣୁ ସେମାନେ ଯେତେବେଳେ ଚାହିଁବେ କରିବେ।
ଲୋକସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ବିଷୟରେ ନୀତୀଶ କହିଛନ୍ତି ଯେ, ବର୍ତ୍ତମାନ ଦେଖନ୍ତୁ, ସମୟ ପୂର୍ବରୁ ଏକ ସ୍ବତନ୍ତ୍ର ଅଧିବେଶନ ମଧ୍ୟ ଡକାଯାଉଛି, କିନ୍ତୁ ଏଥିରୁ କିଛି ଘଟିବ ନାହିଁ। ଆମେ ସବୁ ସମୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ‘ଇଣ୍ଡିଆ ମିଳିତ ମେଣ୍ଟ ମଜଭୁତ ହୋଇ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯେତେବେଳେ ଆମ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବେ, ସେତେବେଳେ ଆମେ ଗଣମାଧ୍ୟମକୁ ମଧ୍ୟ ସ୍ବାଧୀନ କରିବୁ। ବର୍ତ୍ତମାନ ସେମାନଙ୍କର ସ୍ବାଧୀନତାକୁ କିଛି ଲୋକ ଅପହରଣ କରି ନେଇଛନ୍ତି, କିନ୍ତୁ ଯେତେବେଳେ ଆମେ ଆସିବୁ, ସେମାନଙ୍କୁ ମଧ୍ୟ ମୁକ୍ତ ଭାବରେ କାମ କରିବାକୁ ଅନୁମତି ଦିଆଯିବ।