ବ୍ରିକ୍ସ ବିସ୍ତାରକୁ ଭାରତ ସମ୍ପୂର୍ଣ୍ଣ ରୂପେ କରୁଛି ସମର୍ଥନ: ମୋଦି

ଜୋହାନ୍ସବର୍ଗ,୨୩।୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଠ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀର ଦ୍ୱିତୀୟ ଦିନରେ ସର୍ବଦଳୀୟ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ବ୍ରିକ୍ସ ଏକ ଦୀର୍ଘ ଏବଂ ଦୃଷ୍ଟାନ୍ତମୂଳକ ଯାତ୍ରା କରିଛି। ଏହି ଯାତ୍ରାରେ ଆମେ ଅନେକ ସଫଳତା ହାସଲ କରିଛୁ। ଜୋହାନ୍ସବର୍ଗର ସୁନ୍ଦର ସହରରେ ପୁଣି ଥରେ ରହିବା ମୋ ଏବଂ ମୋର ପ୍ରତିନିଧୀଙ୍କ ପାଇଁ ଖୁସିର ବିଷୟ। ଭାରତୀୟ ଇତିହାସ ସହିତ ଏହି ସହରର ଗଭୀର ଏବଂ ପୁରୁଣା ସଂଯୋଗ ଅଛି। ୧୧୦ ବର୍ଷ ପୂର୍ବେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ନିର୍ମିତ ଟୋଲଷ୍ଟୟ ଫାର୍ମ ଏଠାରୁ କିଛି ଦୂରରେ ଅବସ୍ଥିତ। ମହାତ୍ମା ଗାନ୍ଧୀ ଭାରତ, ୟୁରେସିଆ ଏବଂ ଆଫ୍ରିକାର ମହାନ ଚିନ୍ତାଧାରାକୁ ମିଶାଇ ଆମର ଏକତା ଏବଂ ସୌହାର୍ଦ୍ଦ୍ୟ ପାଇଁ ଏକ ଦୃଢ ମୂଳଦୁଆ ପକାଇଥିଲେ।
ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ବ୍ରିକ୍ସ ଦେଶମାନଙ୍କୁ ଦିଆଯାଇଥିବା ବିଶେଷ ଗୁରୁତ୍ୱକୁ ଆମେ ସ୍ବାଗତ କରୁଛୁ। ଜି-୨୦ର ଅଧ୍ୟକ୍ଷତାରେ ଭାରତ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି। ବ୍ରିକ୍ସ ବିସ୍ତାରକୁ ଭାରତ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛି। ଆମେ ଏହା ଉପରେ ଏକ ସହମତି ସହ ଆଗକୁ ବଢିବାକୁ ସ୍ବାଗତ କରୁଛୁ ।

Share