କାଲିଫର୍ନିଆ,୨୩।୨: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ତାଙ୍କ ବ୍ଲଗ ‘ଗେଟ୍ସ ନୋଟ୍ସ’ରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସଙ୍କଟଗ୍ରସ୍ତ ଦୁନିଆରେ ଭାରତ ଭବିଷ୍ୟତର ଭରସା ପାଲଟିଛି। ଯେତେବେଳେ ବିଶ୍ୱ ଅନେକ ସଙ୍କଟର ସମ୍ମୁଖୀନ ହୁଏ ସେତେବେଳେ ମଧ୍ୟ ଭାରତ ଥରକରେ ଏହାର ସମାଧାନ କରିପାରେ, ପୂର୍ବରୁ ଏହି ଦେଶ ଏହା ପ୍ରମାଣ କରିସାରିଛି। ସମଗ୍ର ଭାରତ ମୋତେ ଭବିଷ୍ୟତ ପାଇଁ ଭରସା ଦେଇଛି। ଏହା ଦୁନିଆର ସବୁଠାରୁ ଜନବହୁଳ ଦେଶ ହେବାକୁ ଯାଉଛି। ଭାରତ ବଡ଼ ଚ୍ୟାଲେଞ୍ଜର ମୁକାବିଲା କରିପାରିବ ଏହା ପୂର୍ବରୁ ପ୍ରମାଣ ହୋଇସାରିଛି। ପୋଲିଓ ବିଲୋପ, ଏଚ.ଆଇ.ଭି ସଂକ୍ରମଣ ହ୍ରାସ, ଦାରିଦ୍ର୍ୟ ହ୍ରାସ, ଶିଶୁ ମୃତ୍ୟୁହାର ହ୍ରାସ, ପରିମଳ ଏବଂ ଆର୍ଥିକ ସେବାରେ ଭାରତ ଉଲ୍ଲେଖନୀୟ କାର୍ଯ୍ୟ କରିଛି।
ବିଲ୍ ଗେଟ୍ସ ଆହୁରି ମଧ୍ୟ କହିଛନ୍ତି, ନବସୃଜନ ପାଇଁ ଭାରତ ଏକ ବିଶ୍ୱ-ଅଗ୍ରଣୀ ଆଭିମୁଖ୍ୟ ବିକଶିତ କରିଛି, ଯାହା ସମାଧାନ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରେ।