Categories: ଜାତୀୟ

ରାହୁଲଙ୍କ ଘରକୁ ୧ କିଲୋ ଜିଲାପି ପଠାଇଲା ହରିୟାଣା ଭାଜପା

ଚଣ୍ଡିଗଡ଼,୯।୧୦: ହରିୟାଣା ନିର୍ବାଚନରେ ଜିଲାପିକୁ ନେଇ ରାଜନୈତିକ ଚର୍ଚ୍ଚା ଶୀଖରରେ। ବିଶେଷକରି କଂଗ୍ରେସର ପରାଜୟ ପରେ ଭାଜପା ପକ୍ଷରୁ ଜିଲାପି ବାହାନାରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସକୁ କଟାକ୍ଷ କରାଯାଉଛି। ଲଗାତର ଭାବେ ତୃତୀୟ ଥର ଲାଗି ରାଜ୍ୟରେ ଭାଜପା ସରକାର ଗଠନ କରିଥିବାରୁ କର୍ମୀ ଉତ୍ସାହିତ ଅଛନ୍ତି। ହରିୟାଣା ଭାଜପାରେ ଉତ୍ସବର ମାହୋଲ ଦେଖାଯାଉଥିବା ବେଳେ ସେମାନେ ଏହି ଖୁସିକୁ ରାହୁଲଙ୍କ ସହ ବାଣ୍ଟିଛନ୍ତି। ହରିୟାଣା ଭାଜପା ରାହୁଲଙ୍କ ଲାଗି ୧ କିଲୋ ଜିଲାପି ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ପଠାଇଛନ୍ତି।

ହରିୟାଣା ଭାଜପା ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରି କୁହାଯାଇଛି ଯେ, ଭାଜପାର ସମସ୍ତ କର୍ମୀଙ୍କ ପକ୍ଷରୁ ଆମେ ୧ କିଲୋ ଜିଲାପି ରାହୁଲଙ୍କ ଘରକୁ ପଠାଇ ଦେଇଛି। ଦଳ ଏହି ଅର୍ଡରର ଚିଠାକୁ ମଧ୍ୟ ପୋଷ୍ଟରେ ଯୋଡ଼ିଛି।

କହିରଖୁଛୁ, ନିଜର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ ଯେ ଏହି ଅଞ୍ଚଳରେ ବହୁଳମାତ୍ରାରେ ଜିଲାପି ଉତ୍ପାଦନ ହେଉଛି। ଏଠାରୁ ଜିଲାପି ସାରା ଦେଶରେ ବିକ୍ରି କରାଯାଉଛି। ଏଥିରୁ ଲୋକେ ରୋଜଗାର ପାଇଥାନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ଯୋଗୁ ଜିଲାପି ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହି ବୟାନ ପରେ ରାହୁଲଙ୍କୁ ଭାଜପା ଟାର୍ଗେଟ କରିଥିଲା।

Share