Categories: ଖେଳ

ଖାସ୍‌ ଉପଲବ୍ଧି ହାସଲ କଲା ଭାରତ

କୋଲକାତା,୧୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଟିମ ଇଣ୍ଡିଆ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆର ସ୍ବତନ୍ତ୍ର ରେକର୍ଡ ସହ ସମକକ୍ଷ ହୋଇଛି। ଭାରତ ବର୍ତ୍ତମାନ ମିଳିତ ଭାବେ ଅଷ୍ଟ୍ରେଲିଆ ସହିତ ବିଶ୍ୱର ଦ୍ୱିତୀୟ ଦେଶ, ଯିଏକି ଗୋଟିଏ ଦେଶ ବିପକ୍ଷରେ ସର୍ବାଧିକ ଦିନିକିଆ ଜିତିଛି।
ଦିନିକିଆରେ ଗୋଟିଏ ଦେଶ ବିପକ୍ଷରେ ସର୍ବାଧିକ ଜିତିବାର ରେକର୍ଡ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ କରିଛି। କଙ୍ଗାରୁ ଦଳ ୧୪୧ଟି ଦିନିକିଆ ମଧ୍ୟରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ଟି ମ୍ୟାଚ ଜିତିଛି। ଏଥି ସହିତ ଭାରତ ବର୍ତ୍ତମାନ ଅଷ୍ଟ୍ରେଲିଆର ଏହି ରେକର୍ଡକୁ ସମାନ କରିଛି। ଜାନୁଆରୀ ୧୨ରେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଦିନିକିଆରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ୯୫ତମ ଦିନିକିଆ ଜିତିଥିଲା। ଏପର୍ଯ୍ୟନ୍ତ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୧୬୪ଟି ମ୍ୟାଚ ଖେଳାଯାଇଛି, ଯେଉଁଥିରେ ଟିମ ଇଣ୍ଡିଆ ୯୫ଟି ଦିନିକିଆ ଜିତିଛି। ଦିନିକିଆ କ୍ରିକେଟରେ କୌଣସି ଦେଶ ବିପକ୍ଷରେ ସର୍ବାଧିକ ବିଜୟ ହାସଲ କରିବାରେ ଭାରତ ଦ୍ୱିତୀୟ ଦେଶ ହୋଇପାରିଛି।

Share