‘ଭାରତ ସବୁବେଳେ ଆଫଗାନିସ୍ତାନ ସହ ରହିଆସିଛି’

କାବୁଲ,୨୭ା୫: ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ତାଜିକିସ୍ତାନର ରାଜଧାନୀ ଦୁଶାନ୍‌ବେରେ ଏକାଠି ହୋଇ ଆଫଗାନିସ୍ତାନରେ ଅଶାନ୍ତି  ଉପରେ ଆଲୋଚନା କରିଛନ୍ତି। ଶୁକ୍ରବାର ଦୁଶାନ୍‌ବେରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଛନ୍ତି। ଡୋଭାଲଙ୍କ ବ୍ୟତୀତ ତାଜିକିସ୍ତାନର ଏନ୍‌ଏସ୍‌ଏସ୍‌, ରୁଷିଆ, କାଜାକିସ୍ତାନ, ଉଜବେକିସ୍ତାନ ଏବଂ ଚାଇନା ଏହି ଆଲୋଚନାରେ ଭାଗ ନେଇଛନ୍ତି।

ଏନ୍‌ଏସ୍‌ଏ ଆଫଗାନିସ୍ତାନ ଏବଂ ଅଞ୍ଚଳର ପରିସ୍ଥିତି ଉପରେ ଆଲୋଚନା କରିଥିଲା। ଆଫଗାନିସ୍ତାନରେ ଶାନ୍ତି, ସ୍ଥିରତା ଏବଂ ଆତଙ୍କବାଦକୁ ମୁକାବିଲା ପାଇଁ ଉପାୟ ଖୋଜିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ବୈଠକ ଯୋଗ ଦେଇଥିବା ଡୋଭାଲ ଭାରତର ପକ୍ଷ ଉପସ୍ଥାପନ କରିଥିଲେ। ଡୋଭାଲ କହିଛନ୍ତି, ଆଫଗାନିସ୍ତାନର ଲୋକଙ୍କ ନିକଟରେ ଭାରତ ସର୍ବଦା ଛିଡ଼ା ହୋଇଛି। ସେ ସୂଚନା ଦେଇ କହିଛନ୍ତି, ଅଗଷ୍ଟ ୨୦୨୧ ପରେ ଭାରତ ୫୦,୦୦୦ ମେଟ୍ରିକ ଟନ, ୫ ଲକ୍ଷ ଡୋଜ୍‌ କୋଭାକ୍ସିନ, ୧୩ ଟନ୍‌ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ ଏବଂ ଶୀତକାଳୀନ ପୋଷାକ ସହିତ ୬୦ ମିଲିୟନ ଖାଦ୍ୟ ପଠାଇ ସାରିଛି।

Share