Categories: ଜାତୀୟ

ସୀମାରେ କ୍ଷେପଣାସ୍ତ୍ର ମୁତୟନ କଲା ଭାରତ

ନୂଆଦିଲ୍ଲୀ,୨୮ା୬(ଆଇଏଏନ୍‌ଏସ୍‌): ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭାରତ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିଛି। ପୂର୍ବ ଲଦାଖ ସୀମାରେ ୮ ସପ୍ତାହ ହେଲା ଉଭୟ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଭାରତ ପକ୍ଷରୁ ଚାଇନା ସୀମାରେ ଏହା ସର୍ବାଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ ବୋଲି କୁହାଯାଉଛି। ଏଲ୍‌ଏସିରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଲାଗି ପୂର୍ବ ଲଦାଖ ଅଞ୍ଚଳରେ ଭାରତୀୟ ସେନା ଅଧିକ ୩ ଡିଭିଜନ ଯବାନ ମୁତୟନ କରିଥିବା ଏକ ସୂତ୍ରରୁ ଜଣାପଡିଛି। ଏଥିସହିତ ଟ୍ୟାଙ୍କ, କମାଣ ଏବଂ ଅତ୍ୟାଧୁନିକ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ଆକାଶ କ୍ଷେପଣାସ୍ତ୍ର ସମେତ ଅନ୍ୟାନ୍ୟ ମିଶାଇଲ ଡିଫେନ୍ସ ସିଷ୍ଟମ ମହଜୁଦ୍‌ ରଖାଯାଇଛି। ଶତ୍ରୁପକ୍ଷରୁ ବିମାନ ଓ ଡ୍ରୋନ୍‌କୁ ଖସାଇବା ପାଇଁ ଏହା ସମର୍ଥ।
ସୂଚନାଯୋଗ୍ୟ ୪ ସପ୍ତାହ ପୂର୍ବରୁ ଭାରତୀୟ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଡିଭିଜନ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଯୁଦ୍ଧକୌଶଳର ଅଭ୍ୟାସ କରିଥିଲା ଏବଂ ୨ ସପ୍ତାହ ପୂର୍ବରୁ ସେମାନଙ୍କୁ ୧୮ ହଜାର ଫୁଟ ଉଚ୍ଚ ଡେପ୍‌ସାଙ୍ଗରେ ନିୟୋଜିତ କରାଯାଇଥିଲା। ଚାଇନା ସୀମାରେ ସୈନ୍ୟ ଉପସ୍ଥିତି ବଢ଼ାଇଥିବାରୁ ଏହାର ମୁକାବିଲା ପାଇଁ ଆଗୁଆ ଘାଟି ଅଞ୍ଚଳକୁ ରିଜର୍ଭ ଫୋର୍ସ ପଠାଯାଇଥିଲା। ସେହିପରି ଭାରତୀୟ ନୌସେନା ଓ ବାୟୁସେନା ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ ରହିଛନ୍ତି। ବାୟୁସେନା ପକ୍ଷରୁ ଲଦାଖରେ ଅନେକ ଏସ୍‌ଏଜିଡବ୍ଲ୍ୟୁ ସିଷ୍ଟମ ମୁତୟନ କରାଯାଇଛି। ଲଦାଖର ଚୁଶୁଲ-ମୋଲଡୋରେ କମାଣ୍ଡର ସ୍ତରୀୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହେବା ପରେ ଭାରତ ପକ୍ଷରୁ ସୀମାରେ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ ହୋଇଥିବା ଜଣାପଡିଛି।
ଲଦାଖର ଗଲଓ୍ବାନ ଉପତ୍ୟକା, ହଟ୍‌ ସ୍ପ୍ରିଙ୍ଗ୍‌ସ, ଡେପସାଙ୍ଗ ଏବଂ ପଙ୍ଗଓଙ୍ଗ ହ୍ରଦ ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ରହିଛି। ଚାଇନା ଏହାର ସୈନ୍ୟଙ୍କୁ ଫିଙ୍ଗର ୪ ପର୍ଯ୍ୟନ୍ତ ପଠାଇଛି। ସେମାନେ ୧୨୦ରୁ ଊର୍ଦ୍ଧ୍ୱ ଗାଡ଼ି ଓ ଅନେକ ବୋଟ୍‌ ଆଣି ଆସିଛନ୍ତି। ଡେପସାଙ୍ଗ ବୁଲ୍‌ଗ ନିକଟରେ ଚାଇନା ସେନା ଏକ ନୂଆ ଫ୍ରଣ୍ଟ ଗଢ଼ିବା ସହ ସେଠାରେ କ୍ୟାମ୍ପ ପକାଇଛି। ଏହା ବ୍ୟତୀତ ଗଲଓ୍ବାନ୍‌ର ପାଟ୍ରୋଲ ପଏଣ୍ଟ ୧୪, କୋଙ୍ଗ୍‌କା ଲାର ପାଟ୍ରୋଲ ପଏଣ୍ଟ ୧୫, ହଟ୍‌ ସ୍ପ୍ରିଙ୍ଗ୍‌ସର ପାଟ୍ରୋଲ ପଏଣ୍ଟ ୧୭ରେ ଚାଇନା ବିପୁଳ ପରିମାଣରେ ସୈନ୍ୟ ଠୁଳ କରିଛି। ଏହାର ଜବାବରେ ଭାରତକୁ ଉକ୍ତ ଅଞ୍ଚଳରେ ସେନା ଉପସ୍ଥିତି ବଢ଼ାଇବାକୁ ପଡ଼ିଛି।

Share