ରୁଷିଆକୁ ଟପିଲା ଭାରତ

ନୂଆଦିଲ୍ଲୀ,୬ା୭(ପି.ଟି.): ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବେକାବୁ ହେଲାଣି। ଗୋଟିଏ ଦିନରେ ସର୍ବାଧିକ ୨୪,୮୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୧୩ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରବିବାର ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬.୯୦,୩୯୬ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୯,୨୬୮କୁ ବୃଦ୍ଧି ପାଇଛି। ଫଳରେ ରୁଷିଆକୁ ପଛରେ ପକାଇ ଭାରତ କରୋନା ସଂକ୍ରମଣରେ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚତ୍ଛି। ରୁଷିଆରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୮୧,୨୫୧ ରହିଛି। କ୍ରମାଗତ ୩ ଦିନ ହେଲା ଭାରତରେ ଦୈନିକ ୨୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସୁଛି।
ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ସେଠାରେ ୨୪ ଘଣ୍ଟାରେ ୭,୦୭୪ ନୂଆ ମାମଲା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ତାମିଲନାଡୁରେ ୨୪ ଘଣ୍ଟା ମଧ୍ୟରେ ୪,୨୮୦ ସଂକ୍ରମିତ ହୋଇଥିଲାବେଳେ ଦିଲ୍ଲୀ, ତେଲଙ୍ଗାନା, କର୍ନାଟକ, ଆସାମ ଓ ବିହାରରେ ମୋଟ ୭,୯୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୮ ପ୍ରତିଶତ ନୂଆ ମାମଲା ଏହି ୭ ରାଜ୍ୟରୁ ମିଳିଛି। ଜାତୀୟ ସ୍ତରରେ ଆରୋଗ୍ୟ ହାର ୬୦.୭୭ ପ୍ରତିଶତ ଥିବାବେଳେ ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ସମେତ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪,୦୯,୦୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨,୪୪,୮୧୪ ସକ୍ରିୟ ମାମଲା ରହିଛି। ୨୪ ଘଣ୍ଟା ମଧ୍ୟରେ ମୋଟ ୧୪,୮୫୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଚଣ୍ଡିଗଡ଼ରେ ଆରୋଗ୍ୟ ହାର ସର୍ବାଧିକ ୮୫.୯% ରହିଥିବାବେଳେ ଲଦାଖରେ ୮୨.୨%, ଉତ୍ତରାଖଣ୍ଡରେ ୮୦.୬%, ରାଜସ୍ଥାନରେ ୮୦.୧%, ମିଜୋରାମରେ ୭୯.୩%, ତ୍ରିପୁରାରେ ୭୭.୭%, ମଧ୍ୟପ୍ରଦେଶରେ ୭୬.୯%, ଝାଡ଼ଖଣ୍ଡରେ ୭୪.୩% ରହିଛି। ସେହିପରି ବିହାରରେ ଆରୋଗ୍ୟ ହାର ୭୪.୨ ପ୍ରତିଶତ ଥିବାବେଳେ ହରିୟାଣାରେ ୭୪.୧, ଗୁଜରାଟରେ ୭୧.୯, ପଞ୍ଜାବରେ ୭୦.୫, ଦିଲ୍ଲୀରେ ୭୦.୨, ମେଘାଳୟରେ ୬୯.୪, ଓଡ଼ିଶାରେ ୬୯% ରହିଛି। ଅନ୍ୟ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶରେ ୬୮.୪%, ହିମାଚଳପ୍ରଦେଶରେ ୬୭.୩%, ପଶ୍ଚିମବଙ୍ଗ ୬୬.୭%, ଆସାମ ୬୨.୪% ଏବଂ ଜମ୍ମୁ-କଶ୍ମୀରରେ ୬୨.୪% ଆରୋଗ୍ୟ ହାର ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share