Categories: ଜାତୀୟ

୧୦୦ ଦେଶକୁ ୬୫ ନିୟୁତ ଡୋଜ୍‌ କୋଭିଡ୍‌ ଟିକା ପଠାଇଛି ଭାରତ

ନୂଆଦିଲ୍ଲୀ, ୧୯।୧୧(ପି.ଟି.):ଚଳିତ ବର୍ଷ ଭାରତ ପାଖାପାଖି ୧୦୦ ଦେଶକୁ ୬୫ ନିୟୁତରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ରପ୍ତାନି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ଭାରତର ସ୍ବାସ୍ଥ୍ୟସେବା ସେକ୍ଟର ପ୍ରତି ଆସ୍ଥା ଏହାକୁ ବିଶ୍ୱ ଫାର୍ମାସୀର ଆଖ୍ୟା ଦେଇଛି। ଔଷଧ ଓ ନୂତନ ମେଡିକାଲ ଉପକରଣ ଉଦ୍‌ଭାବନରେ ନେତୃତ୍ୱ ନେବା ଲାଗି ନବପ୍ରବର୍ତ୍ତନର ପରିବେଶ ସୃଷ୍ଟି କରିବାକୁ ଭାରତ ଚାହେଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଥମ ଗ୍ଲୋବାଲ ଇନୋଭେଶନ ସମିଟ୍‌ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି। ଔଷଧ ଶିଳ୍ପକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତରେ ଯଥେଷ୍ଟ ବୈଜ୍ଞାନିକ ଓ ପ୍ରଯୁକ୍ତିବିତ୍‌ ରହିଛନ୍ତି। ଉଦ୍‌ଭାବନ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ପାଇଁ ଏହି ସାମର୍ଥ୍ୟର ଉପଯୋଗ ହେବା ଆବଶ୍ୟକ। ଭାରତରେ ଗବେଷଣା କରିବା, ଭାରତରେ ତିଆରି କରିବା ଓ ବିଶ୍ୱ ପାଇଁ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ସମିଟ୍‌ରେ ଭାଗ ନେଇଥିବା ବିଭିନ୍ନ ଦେଶର ଫାର୍ମାସୀ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଥିଲେ।

Share