‘ଭାରତ ଆମ ଯନ୍ତ୍ରଣାକୁ ନିଜର ଭାବିଛି’

ଜେରୁଜେଲମ୍‌,୨୬ା୧୧: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଜଣେ ଇସ୍ରାଏଲୀ ଶିଶୁଙ୍କ ଜେଜେବାପା ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୫ ବର୍ଷ ପୂର୍ବେ ଆମ ସହିତ କ’ଣ ଘଟିଥିଲା ତାହା ଭାରତ ବେଶ୍‌ ଭଲ ଭାବେ ଜାଣେ। ଭାରତ ଆମର ଯନ୍ତ୍ରଣାକୁ ନିଜର ବୋଲି ଭାବି ନେଇଛି। ଏଥିପାଇଁ ଭାରତକୁ ଧନ୍ୟବାଦ।

୨୬ ନଭେମ୍ବର ୨୦୦୮ରେ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଇସ୍ରାଏଲର ମୋଶେ ହୋଲ୍ଟଜବର୍ଗ ନାମକ ଜଣେ ଛୋଟ ପିଲାଙ୍କ ଜେଜେବାପା ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଛନ୍ତି। ୧୫ ତମ ବାର୍ଷିକୀ ଅବସରରେ ମୋଶେଙ୍କ ଜେଜେ ତାଙ୍କ ଯନ୍ତ୍ରଣା ବ୍ୟକ୍ତ କରିବା ସହ ମୋଶେଙ୍କ ମାତାପିତାଙ୍କୁ ମନେ ପକାଇଛନ୍ତି। ସେ ଭାରତ ପ୍ରତି କୃତଜ୍ଞତା ଜଣାଇବା ସହ କହିଛନ୍ତି, ଭାରତ ଆମ ପରିବାରର ଯନ୍ତ୍ରଣାକୁ ନିଜ ଯନ୍ତ୍ରଣା ବୋଲି ବିବେଚନା କରିଛି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମୋଶେଙ୍କ ଜେଜେବାପା କହିଛନ୍ତି, ୧୫ ବର୍ଷ ପୂର୍ବେ ଆମ ସହିତ କ’ଣ ଘଟିଥିଲା ତାହା ଭାରତର ଲୋକମାନେ ମନେ ରଖିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ଆମର ପରିବାର ଏବଂ ଅନ୍ୟ ଇସ୍ରାଏଲର ପରିବାର ନଷ୍ଟ ହୋଇଯାଇଥିଲେ। ଆମର ଭାବନା ବୁଝିଥିବାରୁ ଭାରତକୁ ହୃଦୟରୁ ଧନ୍ୟବାଦ।

ସୂଚନାଯୋଗ୍ୟ, ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ୨୦୦୮ରେ ମୁମ୍ବାଇର ଅନେକ ସ୍ଥାନ ଉପରେ ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ମୋଶେ ଏବଂ ତାଙ୍କ ମାତାପିତା ମଧ୍ୟ ଫସି ରହିଥିଲେ। ଯଦିଓ ଆତଙ୍କବାଦୀ ମୋଶେଙ୍କ ମାତାପିତାଙ୍କୁ ହତ୍ୟା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରୁ ମୋଶେ ହିଁ ବଞ୍ଚି ଯାଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀମାନେ ଆମକୁ ଆକ୍ରମଣ କରିଥିଲେ ତଥାପି ଆମେ ସମଗ୍ର ବିଶ୍ୱରେ ଶାନ୍ତି ପାଇଁ ଆଶା କରୁଛୁ। ଏହି ବର୍ଷ ଆତଙ୍କବାଦୀମାନେ ଜିହୁଦୀମାନଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରିଛନ୍ତି। ମୋଶେଙ୍କ ଜେଜେବାପା ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧକୁ ନେଇ ଏପରି କଥା କହିଛନ୍ତି।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୋଶେଙ୍କ ସହ ଜଡ଼ତ ଏକ ଫଟୋ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଜେଜେମା’ଙ୍କ ଜୀବନ ବଞ୍ଚାଇବା ପରେ ମୋଶେଙ୍କୁ ଆଲିଙ୍ଗନ କରିବାର ଫଟୋ ଭାଇରାଲ ହୋଇଥିଲା। ସେ କହିଛନ୍ତି, ମୋଶେ ବର୍ତ୍ତମାନ ବଡ଼ ହୋଇଯାଇଛନ୍ତି। ସେ ଇସ୍ରାଏଲରେ ଅଛନ୍ତି।

Share