Categories: ଜାତୀୟ

ଲାଞ୍ଚ: ଏସିଆରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.):ଏସିଆ ମହାଦେଶରେ ସବୁଠୁ ବେଶି ଲାଞ୍ଚ କାରବାର ଭାରତରେ ହେଉଥିବା ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ଅଧିକାଂଶ ଲୋକ ସରକାରୀ ସେବା ପାଇବା ପାଇଁ ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରିଥାନ୍ତି। ଗ୍ଲୋବାଲ କରପ୍‌ଶନ ବାରୋମିଟର (ଜିସିବି) ରିପୋର୍ଟ ଅନୁଯାୟୀ ଲାଞ୍ଚ ଦେଉଥିବା ଲୋକଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତଙ୍କୁ ଏଥିପାଇଁ କୁହାଯାଇଥାଏ। ୩୨ ପ୍ରତିଶତ ବ୍ୟକ୍ତିଗତ ସମ୍ପର୍କର ଉପଯୋଗ କରିଥାନ୍ତି। ତାହା ନ କଲେ ସେବା ମିଳିବ ନାହିଁ ବୋଲି ସେମାନେ କହିଛନ୍ତି। ଗତ ଜୁନ୍‌ ୧୭ରୁ ଜୁଲାଇ ୧୭ ମଧ୍ୟରେ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଭାରତରେ ସର୍ବାଧିକ ୩୯ ପ୍ରତିଶତ ଲୋକ ଲାଞ୍ଚ ଦେଉଥିବାବେଳେ ୪୬ ପ୍ରତିଶତ ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରିଥାନ୍ତି।
    ସରକାରୀ ସେବାରେ ଲାଞ୍ଚ କାରବାର ଭାରତରେ ପ୍ଲେଗ୍‌ ଭଳି ବ୍ୟାପିଛି। ମନ୍ଥର ତଥା ଜଟିଳ ପ୍ରଶାସନିକ ପ୍ରକ୍ରିୟା, ଅନାବଶ୍ୟକ ନାଲିଫିତା ସଂସ୍କୃତି, ଅସ୍ପଷ୍ଟ ନିୟାମକ ଢାଞ୍ଚା ଯୋଗୁ ନାଗରିକମାନେ ମୌଳିକ ସେବା ପାଇବା ପାଇଁ ବିକଳ୍ପ ସମାଧାନ ଖୋଜିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସେମାନେ ଦୁର୍ନୀତିର ଆଶ୍ରୟ ନେଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ତେଣୁ ସରକାରୀ ସେବା ଲାଗି ଉଭୟ ଜାତୀୟ ଓ ରାଜ୍ୟ ସରକାର ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରିବା ସହ ଲାଞ୍ଚ ଓ ପ୍ରିୟାପ୍ରୀତି ତୋଷଣ ରୋକିବା ଲାଗି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ଜରୁରୀ ସେବା ଯେପରି ଶୀଘ୍ର ଲୋକଙ୍କ ପାଖରେ ପହଞ୍ଚତ୍ପାରିବ ସେଥିପାଇଁ ୟୁଜର-ଫ୍ରେଣ୍ଡଲି ଅନ୍‌ଲାଇନ ପ୍ଲାଟଫର୍ମରେ ପୁଞ୍ଜିନିବେଶ କରିବାକୁ ରିପୋର୍ଟରେ କୁହାଯାଇଛି।
ସର୍ବାଧିକ ଲାଞ୍ଚ କାରବାରରେ ଭାରତ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି କାମ୍ବୋଡ଼ିଆ। ସେଠାରେ ୩୭ ପ୍ରତିଶତ ଲୋକ ଲାଞ୍ଚ ଦେଇଥାନ୍ତି। ସେହିପରି ୩୦ ପ୍ରତିଶତ ଲାଞ୍ଚ କାରବାର ସହ ଇଣ୍ଡୋନେସିଆ ତୃତୀୟ ସ୍ଥାନରେ ରହିଛି। ତେବେ ମାଳଦ୍ୱୀପ ଓ ଜାପାନରେ ସର୍ବନିମ୍ନ ୨ ପ୍ରତିଶତ ଲାଞ୍ଚ ଦେଉଥିବାବେଳେ ଦକ୍ଷିଣ କୋରିଆରେ ୧୦ ପ୍ରତିଶତ ଓ ନେପାଳରେ ୧୨ ପ୍ରତିଶତ ଲାଞ୍ଚ ଦେଇଥାନ୍ତି।
  ଭାରତ ସମେତ ମାଲେସିଆ,ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଆଦି ଦେଶରେ ଯୌନ ସମ୍ପର୍କ ନାଁରେ ବ୍ଲାକ୍‌ମେଲ୍‌ କରି ଅର୍ଥ ଆଦାୟ କରିବା ଘଟଣା ଅଧିକ। ଏହା ମଧ୍ୟ ଏକ ଦୁର୍ନୀତି। ଭାରତରେ ସରକାରୀ ଦୁର୍ନୀତି ବଡ଼ ସମସ୍ୟା ବୋଲି ୮୯ ପ୍ରତିଶତ ଭାବୁଥିବାବେଳେ ୧୮ ପ୍ରତିଶତ ଭୋଟ ପାଇଁ ଲାଞ୍ଚ ଦେଇଥାନ୍ତି। ୧୧ ପ୍ରତିଶତ ଯୌନ ବ୍ଲାକ୍‌ମେଲ୍‌ ବା ସେକ୍ସଟୋର୍ଶନର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଜିସିବି ପକ୍ଷରୁ ୧୭ ଦେଶର ପ୍ରାୟ ୨୦ ହଜାର ନାଗରିକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।
Share