Categories: ଜାତୀୟ

ଭାରତରେ ସର୍ବୋଚ୍ଚ ସ୍ତରରେ ଆର୍ଥିକ ଅସମାନତା, ୧%ଙ୍କ ପାଖରେ ୪୦%

ନୂଆଦିଲ୍ଲୀ,୨୧ା୩ : ଫରାସୀ ଅର୍ଥନୀତିଜ୍ଞ ଥୋମାସ ପିକେଟିଙ୍କ ଅଧ୍ୟକ୍ଷତାରେ ସଦ୍ୟ ପ୍ରକାଶିତ ଓ୍ବାଲର୍‌ଡ ଇନ୍‌ଇକ୍ୱାଲିଟି ଲାବ୍‌ ରିପୋର୍ଟ ଅନୁସାରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଆୟ ଅସମାନତା ସବୁଠୁ ଅଧିକ ବଢ଼ିଥିଲା। ଏଥିଲାଗି ଦେଶର ଟିକସ ବ୍ୟବସ୍ଥାର ନୀତିଗୁଡ଼ିକୁ ଦାୟୀ କରାଯାଉଛି। ନେଟ୍‌ ଓ୍ବେଲ୍‌ଥ ଦୃଷ୍ଟିରୁ ଦେଖିଲେ ଭାରତୀୟ ଆୟ କର ବ୍ୟବସ୍ଥା ଅତ୍ୟନ୍ତ ନୈରାଶ୍ୟଜନକ ହୋଇପାରେ। ୨୦୨୨-୨୩ ସୁଦ୍ଧା ଶୀର୍ଷ ୧ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ଆୟ ଓ ଧନର ଅଂଶ (୨୨.୬% ଓ ୪୦.୧%) ରହିଥିଲା। ଏହି କ୍ଷେତ୍ରରେ ଆମେରିକା ଭଳି ବିକଶିତ ଦେଶକୁ ମଧ୍ୟ ଭାରତ ପଛରେ ପକାଇଦେଇଛି। ଅସମାନତାରେ ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଭାରତଠାରୁ ପଛରେ ରହିଛନ୍ତି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୧୯୬୧ରୁ ଏଭଳି ତଥ୍ୟ ଉପରେ ଓ୍ବାଲର୍‌ଡ ଇନ୍‌ଇକ୍ୱାଲିଟି ଲାବ୍‌ ପକ୍ଷରୁ ଅଧ୍ୟୟନ କରାଯାଇଆସୁଛି। ତଦନୁସାରେ ଏହା ହେଉଛି ଭାରତର ଆର୍ଥିକ ଅସମାନତା କ୍ଷେତ୍ରରେ ସବୁଠୁ ଉଦ୍‌ବେଗଜନକ ସ୍ଥିତି।

ଭାରତର ଆଧୁନିକ ପୁଞ୍ଜିପତି ବର୍ଗଙ୍କ ‘ବିଲିଓନେୟାର ରାଜ୍‌’ ଉପନିବେଶବାଦୀଙ୍କ ‘ବ୍ରିଟିଶ୍‌ ରାଜ’କୁ ବଳିଯାଇଛି। ଆୟ ଓ ସମ୍ପତ୍ତି ଅଳ୍ପ କେତେଜଣ ପୁଞ୍ଜିପତିଙ୍କ ହାତରେ କେନ୍ଦ୍ରୀଭୂତ ହେବା ଫଳରେ ସମାଜ ଓ ସରକାର ଉପରେ ହିସାବ ବହିର୍ଭୂତ ପ୍ରଭାବ ପଡ଼ିବ। ବୈଶ୍ୱିକୀକରଣର ଲାଭ ଉଠାଇବା ପାଇଁ ଭାରତକୁ ଟିକସ ଓ ଆୟ କ୍ଷେତ୍ରରେ ସନ୍ତୁଳନ ଆଣିବାକୁ ପଡ଼ିବ। ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଷଣଯୁକ୍ତ ଆହାର କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବା ଜରୁରୀ। ଏପରି କରାଗଲେ କେବଳ ଧନୀଙ୍କ ହାତକୁ ଧନ ନ ଯାଇ ଅସ୍ବଚ୍ଛଳ ବର୍ଗର ଲୋକେ ମଧ୍ୟ ଉନ୍ନତି କରିବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯଦି ୨୦୨୩ ଆର୍ଥିକବର୍ଷ ସମୟରେ ଦେଶର ୧୬୭ ସବୁଠୁ ଧନୀ ପରିବାରର ନେଟ୍‌ ଓ୍ବେଲ୍‌ଥ ଉପରେ ୨% ‘ସୁପର ଟ୍ୟାକ୍ସ’ ଲଗାଯାଏ, ତେବେ ତହିଁରୁ ଭାରତର ମୋଟ ଆୟରେ ୦.୫% ରାଜସ୍ବ ଅଭିବୃଦ୍ଧି ଘଟିବ। ଅସମାନତା ବିରୋଧରେ ଲଢ଼େଇ ପାଇଁ ଏହା ସହାୟକ ହେବ ବୋଲି ଏଥିରେ ଦର୍ଶାଯାଇଛି।

ଏନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ବର୍ତ୍ତମାନ ମୋଦିଙ୍କ ବିଲିଓନେୟାର ରାଜ୍‌ ବ୍ରିଟିଶ ରାଜ୍‌ ବେଳର ଅସମାନତାକୁ ମଧ୍ୟ ଟପିଯାଇଛି। କାରଣ ପ୍ରଧାନମନ୍ତ୍ରୀ ନିଜ ବନ୍ଧୁମାନଙ୍କୁ ଅନୁଗ୍ରହ ଦେଖାଇ ଭାଜପାର ନିର୍ବାଚନୀ ପ୍ରଚାର ଲାଗି ପାଣ୍ଠି ବଢ଼ାଇଚାଲିଛନ୍ତି। ମୋଦି ସରକାରଙ୍କ ଆର୍ଥିକ ନୀତିଗୁଡ଼ିକ ବିଲିଓନେୟାର ସୃଷ୍ଟି ଉପରେ ଆଧାରିତ। ଅଳ୍ପ କେତେକ କର୍ପୋରେଟ୍‌ ହାଉସ୍‌କୁ ବଡ଼ ବଡ଼ ଠିକା ଦିଆଯାଉଛି। ଏପରି କି ସରକାର ସର୍ବସାଧାରଣ ସମ୍ପତ୍ତିଗୁଡ଼ିକୁ ମଧ୍ୟ ରିହାତି ଦରରେ ସେମାନଙ୍କୁ ଟେକି ଦେଉଛନ୍ତି। ଏହା ସରକାରଙ୍କ ‘ଚାନ୍ଦା ଦିଅ, ଧନ୍ଦା ନିଅ’ ଯୋଜନା ବୋଲି ଜୟରାମ ସମାଲୋଚନା କରିଛନ୍ତି।

Share